ଭାରତ-ଚୀନ ବିବାଦରେ ଆମେ ହସ୍ତକ୍ଷେପ କରିବୁ ନାହିଁ : ରୁଷ୍

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଥିବା ବିବାଦରେ ରୁଷ ହସ୍ତକ୍ଷେପ କରିବ ନାହିଁ, ବରଂ ଶାନ୍ତିପୂର୍ଣ୍ଣ  ଆଲୋଚନା ମାଧ୍ୟମରେ ଆପୋସ ସମାଧାନକୁ ପ୍ରେତ୍ସାହିତ କରିବ ବୋଲି ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ।

ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ବିବାଦର ସମାଧାନରେ ଜଡିତ ହେବାକୁ ଆମେ ଚାହୁଁନାହୁଁ । କେତେକ ଦେଶ ଭାରତ ଓ ଚୀନ ମଧ୍ୟରେ ସଂଦେହ ସୃଷ୍ଟି କରୁଥିବାବେଳେ ଆମେ କିନ୍ତୁ ସୀମା ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇ ଦେଶକୁ ପ୍ରେତ୍ସାହିତ କରୁଛୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଆମେ ଏହି ବିବାଦର ସୁଯୋଗ ନେବାକୁ ଚାହୁଁନାହୁଁ, ବରଂ କିପରି ଦୁଇ ପକ୍ଷଙ୍କ ହିତରେ ଏହି ବିବାଦର ସମାଧାନ ହେଉ ତାହା ଚାହୁଁଛୁ ।

୨୦୨୦ ଜୁନ ମାସରେ ଗଲଓ୍ବାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଓ ଦୁଇ ସେନା ଏ ପର୍ଯ୍ୟନ୍ତ ମୁହାଁମୁହିଁ ଅବସ୍ଥାରେ ଥିଲେ । ନିକଟରେ କେତେକ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତକୁ ଏସ-୪୦୦ ସିଷ୍ଟମର ଯୋଗାଣ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ କରାଯିବ । କିନ୍ତୁ ଏଥିରେ ହୋଇଥିବା ବିଳମ୍ବର କାରଣ ୟୁକ୍ରେନ ଯୁଦ୍ଧ ନୁହେଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର