କିବ୍: ୟୁକ୍ରେନ୍ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍ରୁ ରୁଷ୍ ସେନା ହଟି ଯାଇଛନ୍ତି। ୟୁକ୍ରେନ୍ ସେନା ଖାରକିଭ୍ରୁ ରୁଷ୍ ସୈନିକଙ୍କୁ ହଟାଇବାରେ ସକ୍ଷମ ହୋଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଆଜି କହିଛନ୍ତି। ଅନ୍ୟପକ୍ଷରେ ରୁଷ୍ ତା’ର ଯୋଜନାବଦ୍ଧ ରଣନୀତିରେ ଏହି ସହରରୁ ସେନା ପ୍ରତ୍ୟାହାର କରିଛି ବୋଲି ସାମରିକ ବିଶେଷଜ୍ଞମାନେ ମତ ରଖିଛନ୍ତି। ରୁଷ୍ ଏବେ କେବଳ ବାୟୁସେନା ଆକ୍ରମଣ ଉପରେ ଅଧିକ ଫୋକସ୍ କରିବାକୁ ଚାହୁଥିବାରୁ ସ୍ଥଳ ବାହିନୀକୁ ପ୍ରତ୍ୟାହାର କରୁଛି ବୋଲି ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି। ଖାର୍କିଭରେ ୟୁକ୍ରେନ୍ ସେନାର ସମସ୍ତ ପ୍ରତିଷ୍ଠାନ ଏବଂ ଗୁରୁତ୍ବପୂର୍ଣ୍ଣ ସରକାରୀ ଭବନଗୁଡ଼ିକୁ ରୁଷ୍ ନଷ୍ଟ କରିଦେଇଛି। ହଜାର ହଜାର ହଜାର କୋଠା ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ରଣନୀତି ନେଇ ସମସ୍ତେ ଅନ୍ଧାରରେ ଥିବାରୁ ଖାର୍କିଭରୁ ମଧ୍ୟ ରୁଷ୍ ସେନା ହଟିବା ନିଷ୍ପତ୍ତି ରହସ୍ୟମୟ ବୋଲି ପଶ୍ଚିମ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି।
ଏହାକୁ ଦୃଷ୍ଟିରେ ରଖି ଖାର୍କିଭ ଗଭର୍ଣ୍ଣର ନାଗରିକମାନଙ୍କୁ ଆଶ୍ରୟସ୍ଥଳରେ ରହିବାକୁ କହିଛନ୍ତି। ରୁଷ୍ ଖାର୍କିଭକୁ ବରବାଦ କରିଦେବା ପାଇଁ ଯେକୌଣସି ସମୟରେ କିଛି ବି କରିପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରୁଷ୍ ଆଜି ଡୋନେସ୍କରେ ମିସାଇଲ ମାଡ଼ କରିଛି। ଡୋନେସ୍କର ୨ଟି ସହରରେ ତୁହାକୁ ତୁହା ମିସାଇଲ୍ ମାଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ୍ ମାରିୟୁପୋଲ୍ ଷ୍ଟିଲ୍ ପ୍ଲାଣ୍ଟ୍ରେ ମଧ୍ୟ ଆକ୍ରମଣ ଜୋରଦାର କରିଛି। ପ୍ଲାଣ୍ଟ୍ରେ ଥିବା ଆହତ ସୈନିକମାନେ ଉଦ୍ଧାର ପାଇଁ ଆଜି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନରେ ଆଜି ଏକ ବଡ଼ ଧରଣର ସାଇବର୍ ଆକ୍ରମଣ ହୋଇଛି ଏବଂ ଏହା ପଛରେ ରୁଷ୍ର ସରକାରୀ ହ୍ୟାକର୍ଙ୍କ ହାତ ଥିବା ଆଲୋଚନା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/sf65h4sf65h465hf4fh65hsfhf.jpg)