ରୁଷ୍ ଆକ୍ରମଣ ଜାରି: ଅନ୍ଧାର, ଶୀତରେ ଛଟପଟ ୪ ନିୟୁତ ୟୁକ୍ରେନୀୟ

କିବ୍ : ୟୁକ୍ରେନ୍‌ର ବିଦ୍ୟୁତ୍ ଭିତ୍ତିଭୂମି ଉପରେ ରୁଷ୍ ଆକ୍ରମଣ ଜାରି ରହିଥିବାରୁ କିବ୍‌ର ଜନସାଧାରଣ ଆଗକୁ ଭୀଷଣ ଶୀତରେ ବି ଦୀର୍ଘ ସମୟ ବିଜୁଳିକାଟର ସମ୍ମୁଖୀନ ହେବେ। ଦୈନିକ ଚାରିଘଣ୍ଟାରୁ ଅଧିକ ବିଜୁଳିକାଟ ହେବ ଏବଂ ଏହାଦ୍ବାରା ପ୍ରାୟ ୪ ନିୟୁତ ଲୋକ ପ୍ରଭାବିତ ହେବେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ବୟାନରୁ ଜଣାପଡ଼ିଛି। ଏବେ ଅନ୍ଧାରକୁ ଶୀତ କିବ୍‌ବାସୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି।

ଗତ ଦୁଇ ସପ୍ତାହ ହେଲା ରୁଷ୍ ସେନା ୟୁକ୍ରେନ୍‌ର ବିଦ୍ୟୁତ୍ ଭିତ୍ତିଭୂମି ଉପରକୁ ଡ୍ରୋନ୍ ଓ ମିସାଇଲ ମାଡ଼ କରୁଛି। ଫଳରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ ଏକତୃତୀୟାଂଶ ବିଜୁଳି ଗ୍ରିଡ୍ ଓ ସରବରାହ ବ୍ୟବସ୍ଥା ନଷ୍ଟ ହୋଇସାରିଲାଣି। ଇତିମଧ୍ୟରେ ରୁଷ୍ ତା’ର ୩୦୦,୦୦୦ ରିଜର୍ଭ ‌ସୈନିକଙ୍କୁ ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଆହ୍ବାନ ଦେଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୧,୦୦୦ ବା ଏକଚତୁର୍ଥାଂଶ ଏବେ ୟୁକ୍ରେନ୍ ଯୁଦ୍ଧରେ ସାମିଲ ହୋଇସାରିଲେଣି।

ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ବିଳମ୍ବିତ ରାତ୍ରି ଟିଭି ଭାଷଣରେ କହିଛନ୍ତି, ବିଦ୍ୟୁତ୍ ଗ୍ରିଡ୍ ଉପରେ ରୁଷ୍ ଆକ୍ରମଣ ଯୋଗୁ ୪ ନିୟୁତ ୟୁକ୍ରେନ୍‌ବାସୀ ବିଜୁଳିକାଟର ସମ୍ମୁଖୀନ ହୋଇଛନ୍ତି। ରାଜଧାନୀ କିବ୍‌ରେ ବିଜୁଳି ଗ୍ରିଡ୍ ‘ଇମର୍ଜେନ୍ସି ମୋଡ୍‌’ରେ କାମ କରୁଛି। ୫୦ ପ୍ରତିଶତ ବିଜୁଳି ଯୋଗାଣ ହ୍ରାସ ପାଇଛି। ଫଳରେ ଶୀତ ସମୟରେ ଦୈନିକ ୪ ଘଣ୍ଟା ବା ଅଧିକ ବିଜୁଳି କାଟ କରିବାକୁ ସରକାର ବାଧ୍ୟ ହୋଇଛନ୍ତି। ଆଗକୁ ଦୁର୍ଦ୍ଦଶା ଆହୁରି ବଢ଼ିବ। ଅକ୍ଟୋବର ୧୦ରୁ ରୁଷ୍ ସେନା ବାଛିବାଛି ବିଦ୍ୟୁତ୍ ଭିତ୍ତିଭୂମି ଉପରେ ଆକ୍ରମଣ କରୁଥିବାରୁ ପ୍ରାୟ ୩୦ ପ୍ରତିଶତ ବିଦ୍ୟୁତ୍ କେନ୍ଦ୍ର ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର