ୟୁକ୍ରେନ ସାମରିକ କେନ୍ଦ୍ର ଉପରେ ରୁଷର ଘନ ଘନ କ୍ଷେପଣାସ୍ତ୍ର ମାଡ଼

କିବ୍ : ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ୧୨୨ ଦିନ ବିତିଯାଇଥିଲେ ବି ଏହି ଯୁଦ୍ଧ ଶେଷ ହେବା ବଦଳରେ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ରୁଷ ବିରୋଧରେ ଲଢିବାକୁ ୟୁକ୍ରେନକୁ ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇଚାଲିଥିବାବେଳେ ତାହାର ମୁକାବିଲା ପାଇଁ ରୁଷ ସେସବୁ ଅସ୍ତ୍ରଶସ୍ତ୍ର ରଖାଯାଉଥିବା ଅଂଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ।

ଶୁକ୍ରବାର ରାତିରେ ଉତ୍ତର ଓ ପଶ୍ଚିମ ୟୁକ୍ରେନରେ ଥିବା ବିଭିନ୍ନ ୟୁକ୍ରେନୀୟ ମିଲିଟାରି କେନ୍ଦ୍ର ଉପରେ ରୁଷ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହି ଆକ୍ରମଣରେ ସଂପୃକ୍ତ ମିଲିଟାରି କେନ୍ଦ୍ର ଗୁଡ଼ିକର ପ୍ରବଳ କ୍ଷତି ହୋଇଥିବା ଜଣାଯାଇଛି । ପଶ୍ଚିମ ୟୁକ୍ରେନରେ ଥିବା ଲିଭିଭ୍ ଅଂଚଳରେ ଥିବା ୟାଭୋରିଭ୍ ସାମରିକ ଘାଟି ଉପରକୁ ରୁଷ ୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ଲିଭିଭର ଗଭର୍ଣ୍ଣର ମାକ୍ସିମ ତୋଜିଟସ୍କି କହିଛନ୍ତି । କୃଷ୍ଣସାଗରରେ ଥିବା ରୁଷ ଜାହାଜରୁ ଏସବୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ।

ଅନ୍ୟପକ୍ଷରେ ଉତ୍ତର ୟୁକ୍ରେନରେ ଥିବା ଜିତୋମିର ପ୍ରଦେଶରେ ଥିବା ଏକ ସାମରିକ କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ମାଡ ହେବାରୁ ଜଣେ ୟୁକ୍ରେନ ସୈନ୍ୟ ପ୍ରାଣହରାଇଛନ୍ତି । ଏହି ମିଲିଟାରି କେନ୍ଦ୍ର ଉପରକୁ ରୁଷ ୩୦ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ଏହା ମଧ୍ୟରୁ ୧୦ଟି କ୍ଷେପଣାସ୍ତ୍ରକୁ ଇଣ୍ଟରସେପ୍ଟ କରି ଧ୍ବଂସ କରିଦିଆଯାଇଥିଲା । ସେହିପରି ଚେର୍ନିହିଭ ରାଜ୍ୟରେ ଥିବା ଦେସନା ସହରରେ ଥିବା ସାମରିକ ତାଲିମ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଛି ।

 

ସମ୍ବନ୍ଧିତ ଖବର