ମାରିୟୁପୋଲର ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ

କିବ୍ : କିଛିଦିନ ନିଜର ସାମରିକ ଅପରେସନକୁ ସ୍ଥଗିତ ରଖିବା ପରେ ରୁଷ ସେନା ୟୁକ୍ରେନର ମାରିୟୁପୋଲରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । ଆର୍ଟିଲାରି ଗନ ଓ ବିମାନ ମାଧ୍ୟମରେ ଆକ୍ରମଣ କରାଯାଉଛି । ଏହି ଆକ୍ରମଣରେ ୟୁକ୍ରେନର ରୁଷ ସପକ୍ଷବାଦୀ ବିଦ୍ରୋହୀମାନେ ରୁଷ ସେନାକୁ ସହାୟତା କରୁଛନ୍ତି ।

ଉକ୍ତ ଷ୍ଟାଲ ପ୍ଲାଣ୍ଟରେ ଲୁଚି ରହିଥିବା ୟୁକ୍ରେନ ସେନାର ଫାୟାରିଂ ପୋଜିସନଗୁଡ଼ିକୁ ଟାର୍ଗେଟ୍ କରାଯାଉଛି ବୋଲି ରୁଷ ସେନା କହିଛି ।

ରୁଷ ଗଣମାଧ୍ୟମର ଦାବି ଅନୁସାରେ ଉକ୍ତ ଷ୍ଟିଲ ପ୍ଲାଣ୍ଟ ପରିସରରେ ପ୍ରାୟ ୨୫୦୦ ୟୁକ୍ରେନୀୟ ସୈନ୍ୟ ଓ ୪୦୦ ବିଦେଶୀ ସୈନ୍ୟ ଲୁଚି ରହିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସେହି ଷ୍ଟିଲ ପ୍ଲାଣ୍ଟରେ ୧ ହଜାରରୁ ଅଧିକ ସାଧାରଣ ନାଗରିକ ରହିଛନ୍ତି । ତେବେ ଗତ ରବିବାର ଦିନ ଅଧିକାଂଶ ସାଧାରଣ ନାଗରିକଙ୍କୁ ଷ୍ଟିଲ ପ୍ଲାଣ୍ଟରୁ ସୁରକ୍ଷିତ ବାହାର କରାଯାଇଥିଲା ।

ତେବେ ୟୁକ୍ରେନୀୟ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ରୁଷ ସେନା ପୂର୍ବରୁ ବାରମ୍ବାର ଅନୁରୋଧ କରିଥିଲେ ବି ସେମାନେ ତାହାକୁ ଗ୍ରହଣ କରିନଥିଲେ । ଏହି ୟୁକ୍ରେନ ସୈନ୍ୟଙ୍କ ଉପରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି । ଏପ୍ରିଲ ୩ୟ ସପ୍ତାହରୁ ହିଁ ରୁଷ ସେନା ଏହି ଷ୍ଟିଲ ପ୍ଲାଣ୍ଟକୁ ଘେରି ରହିଛି ।

 

ସମ୍ବନ୍ଧିତ ଖବର