ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ବର୍ଷା କରୁଛି ରୁଷ୍

କିବ୍ : ଯୁଦ୍ଧ ବନ୍ଦ ପାଇଁ ଜି-୨୦ ସମ୍ମିଳନୀରେ ଆହ୍ବାନ ଦିଆଯିବା ସତ୍ତ୍ବେ ରୁଷ ନିଜ ଜିଦରେ ଅଟଳ ରହିଛି ଓ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣକୁ ଆହୁରି ତୀବ୍ର କରିଛି । ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରିଚାଲିଛି । ଏହି କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ରାଜଧାନୀ କିବ୍, ଓଡେସା, ଡିନିପ୍ରୋ ସହରରେ ବିସ୍ଫୋରଣ ହୋଇଛି ।

ରୁଷ ପକ୍ଷରୁ ୟୁକ୍ରେନର ବିଭିନ୍ନ ପ୍ରକାରର ଭିତ୍ତିଭୂମିକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରାଯାଉଛି । ବିଶେଷକରି ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକୁ ନଷ୍ଟ କରିଦଉଛି ରୁଷ । ଆବାସିକ ଇଲାକାରେ ବି ଏହି କ୍ଷେପଣାସ୍ତ୍ର ଆକ୍ରମଣ ହେଉଥିବାରୁ ଲୋକମାନଙ୍କୁ ବଙ୍କର କିମ୍ବା ବୋମା ନିରୋଧୀ ଆଶ୍ରୟସ୍ଥଳରେ ରହିବାକୁ ୟୁକ୍ରେନ ସରକାର ପରାମର୍ଶ ଦେଇଛନ୍ତି । ରାଜଧାନୀ କିବରେ ମୁତୟନ ହୋଇଥିବା ୟୁକ୍ରେନର ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା କେତେକ କ୍ଷେପଣାସ୍ତ୍ରକୁ ମାରି ଖସାଇବାରେ ସକ୍ଷମ ହୋଇଥିଲେ ବି କେତେକ ମିସାଇଲ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଛି । ତେବେ ଏସବୁ କ୍ଷେପଣାସ୍ତ୍ର ଆକ୍ରମଣରେ କେତେ ଲେକ ମୃତାହତ ହୋଇଛନ୍ତି ତାହାର ସୂଚନା ମିଳିନାହିଁ ।

ରୁଷର ଏହି ଆକ୍ରମଣ ଫଳରେ ଶାନ୍ତି କଥାବାର୍ତ୍ତା ଏକ ଦୂରନ୍ତ ସ୍ବପ୍ନରେ ପରିଣତ ହୋଇଛି । ତେବେ ରୁଷ ପକ୍ଷରୁ କୁହାଯାଇଛି ଯେ ଏହା ଶାନ୍ତି କଥାବାର୍ତ୍ତା ପାଇଁ ରାଜି ଥିଲେ ବି ୟୁ୍କ୍ରେନ ପ୍ରତିଦିନ ନୂଆ ନୂଆ ପ୍ରକାରର ସର୍ତ୍ତ ରଖୁଛି । ଏଣୁ ୟୁକ୍ରେନକୁ ଶାନ୍ତି କଥାବାର୍ତ୍ତା ନିମନ୍ତେ ରାଜି କରିବାକୁ ରୁଷ ସରକାର ଆମେରିକାକୁ ନିବେଦନ କରିଛନ୍ତି ।

 

 

 

ସମ୍ବନ୍ଧିତ ଖବର