ରୁଷ୍‌ର କ୍ରୁଜ୍‌ ମାଡ଼, ୧୮୦ ମୃତ: ରାତିର ଆକାଶ ଲାଲ୍‌ ହୋଇ ଯାଇଥିଲା

ଲିଭିଭ୍‌, ୟୁକ୍ରେନ: ପଶ୍ଚିମ ୟୁକ୍ରେନ୍‌ର ଲିଭିଭ୍‌ ସହର ବାହାରେ ଏକ ସାମରିକ ଘାଟି ଉପରେ ରୁଷ ରବିବାର ବଡ଼ି ଭୋରୁ ଏୟାର ଷ୍ଟ୍ରାଇକ୍ କରିଛି। ୟୁକ୍ରେନ ସେନାର ଉକ୍ତ ୟାଭୋରିଭ ତାଲିମ ଘାଟି ଉପରେ ରୁଷ୍‌ ପାଖାପାଖି ୩୦ଟି କ୍ରୁଜ୍‌ ମିସାଇଲ୍‌ ମାଡ଼ କରାଯାଇଛି। ରୁଷ୍‌ର ପ୍ରଚଣ୍ଡ ଆକ୍ରମଣରେ ସାମରିକ ଘାଟିରେ ଅତି କମ୍‌ରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୧୩୪ ଜଣ ଆହତ ହୋଇଛନ୍ତି। ପୋଲାଣ୍ଡ ସୀମାଠାରୁ ପ୍ରାୟ ୨୫ କିମି ଦୂରରେ ଏହି ସାମରିକ ଘାଟିଟି ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରୁଷ୍‌ ଆକ୍ରମଣ କରିଥିବା ଏହି ଅଞ୍ଚଳ ଦେଇ ୟୁକେନରୁ ଲୋକମାନେ ସୁରକ୍ଷା ପାଇଁ ପୋଲାଣ୍ଡ ଯାଇଥାନ୍ତି। ଏଥିସହିତ ୟୁକ୍ରେନକୁ ବିଭିନ୍ନ ଦେଶ ଏହି ବାଟ ଦେଇ ଆଣ୍ଟି-ଟ୍ୟାଙ୍କ ଓ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ୍ ପଠାଉଛନ୍ତି। ତେଣୁ ଜନସାଧାରଣ ଭୟଭୀତ ହେବା ସହିତ ୟୁକ୍ରେନ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ବ୍ଲାକ୍ ଏବଂ ଆଜୋଭ୍ ସମୁଦ୍ରରୁ ଏହି ମିସାଇଲ୍‌ ଆକ୍ରମଣ କରାଯାଇଥିଲା ବୋଲି ଲିଭିଭ୍‌ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ମାକ୍‌ସିମ କୋଜିସ୍କି ଏକ ଟେଲିଗ୍ରାମ୍ ପୋଷ୍ଟରେ କହିଛନ୍ତି। ୟାଭୋରିଭ ତାଲିମ ଘାଟି ବା ଅନ୍ତର୍ଜାତୀୟ ଶାନ୍ତିରକ୍ଷା ଓ ସୁରକ୍ଷା କେନ୍ଦ୍ର ନାମରେ ପରିଚିତ ‌ଏହି ସାମରିକ କେନ୍ଦ୍ର ଉପରେ ପ୍ରାୟ ୩୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ତେବେ ସେଥିରୁ କେତୋଟି କ୍ଷେପଣାସ୍ତ୍ରକୁ ୟୁକ୍ରେନର ବାୟୁସେନା ପ୍ରତିହତ କରିଥିବା କୁହାଯାଉଛି। ଆକ୍ରମଣ ପରେ ସେନା ଘାଟି ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା ଏବଂ ପ୍ରଶାସନ ପକ୍ଷରୁ ସେଠାକୁ ଉଦ୍ଧାର କାର୍ଯ୍ୟ ପାଇଁ ଆମ୍ବୁଲାନ୍ସ ପଠାଯାଇଥିଲା। ମିସାଇଲ୍ ଆକ୍ରମଣ ପରେ ସେଠାରେ ବିରାଟ ଫାଟ ସୃଷ୍ଟି ହୋଇଛି। ନିକଟସ୍ଥ ଏକ ଛୋଟ କୋଠାରେ ଅଗ୍ନିକାଣ୍ଡ ଘଟି ଆକାଶରେ କଳାଧୂଆଁ ଛାଇ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ବାସ କରୁଥିବା ଡି ଭିଟାଲି ନାମକ ଜଣେ ୧୯ ବର୍ଷୀୟ ଛାତ୍ର କହିଛନ୍ତି ଆକ୍ରମଣ ପରେ ରାତିର ଆକାଶ ଲାଲ ହୋଇଯାଇଥିଲା। ସେମାନେ ଏୟାର ରେଡ୍ ସାଇରନ୍ ଶୁଣି ପାରି ନଥିଲେ। କିନ୍ତୁ ମିସାଇଲ୍ ଆକ୍ରମଣର ବିସ୍ଫୋରଣରେ ସେମାନେ ନିଦରୁ ଉଠି ପଡ଼ିଥିଲେ। ଏହାପରେ ସେମାନେ ବଙ୍କରକୁ ପଳାଇଥିଲେ। ତାଙ୍କର ଜଣେ ୨୫ ବର୍ଷୀୟ ସଂପର୍କୀୟ ସେହି ଘାଟିରେ ତାଲିମ ନେଉଥିଲେ।

ପରିବାର ପକ୍ଷରୁ ତାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି। ପୋଲାଣ୍ଡ ନିକଟରେ ଏହି ଆକ୍ରମଣ ହୋଇଥିବାରୁ ବର୍ତ୍ତମାନ ପୋଲାଣ୍ଡରେ ଶରଣ ନେବାକୁ ମଧ୍ୟ ୟୁକ୍ରେନବାସୀ ସୁରକ୍ଷିତ ମନେ କରୁନାହାନ୍ତି। ଉକ୍ତ ଘାଟିଟି ପୂର୍ବରୁ ୟୁକ୍ରେନୀୟ ସୈନ୍ୟଙ୍କ ତାଲିମ ପାଇଁ ବ୍ୟବହାର ହେଉଥିଲା। ଅଧିକାଂଶ ସମୟରେ ଆମେରିକା ଏବଂ ନାଟୋର ସଦସ୍ୟ ରାଷ୍ଟ୍ରର ତାଲିମଦାତାମାନେ ଏଠାକୁ ତାଲିମ ଦେବାପାଇଁ ଆସିଥାନ୍ତି। ତେବେ ଆକ୍ରମଣ ସମୟରେ କୌଣସି ବିଦେଶୀ ତାଲିମଦାତା ସେଠାରେ ଥିଲେ କି ନାହିଁ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ରୁଷ୍‌ ୟୁକ୍ରେନ ଆକ୍ରମଣ କରିବା ପରଠାରୁ ପଶ୍ଚିମ ୟୁକ୍ରେନରେ ଏହା ସବୁଠୁ ବଡ଼ ଆକ୍ରମଣ। ୟୁକ୍ରେନର ବିଭିନ୍ନ ଅଞ୍ଚଳକୁ ରୁଷ୍‌ର ଆକ୍ରମଣ ବ୍ୟାପୁଥିବାରୁ ଦେଶର ଆକାଶ ମାର୍ଗକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବା ପାଇଁ ଦେଶବାସୀ ପୁଣି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର