ପୋଲାଣ୍ଡରେ ରୁଷ ରାଷ୍ଟ୍ରଦୂତଙ୍କୁ ପ୍ରବଳ ବିରୋଧ, ଲାଲ୍ କାଳି ପକାଇଲେ ବିକ୍ଷୋଭକାରୀ

ଓ୍ବାର୍ସା : ପୋଲାଣ୍ଡର ରାଜଧାନୀ ଓ୍ବାର୍ସାଠାରେ ଆଜି ହଟହଟା ହୋଇଛନ୍ତି ପୋଲାଣ୍ଡରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ସର୍ଗେଇ ଆଣ୍ଡିଭ୍ । ରୁଷର ବିଜୟ ଦିବସ ପାଳନ ଉପଲକ୍ଷେ ସେ ଦ୍ବିତୀୟ ବିଶ୍ବଯୁଦ୍ଧରେ ପ୍ରାଣ ହରାଇଥିବା ରୁଷ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିବାବେଳେ ସେ ବିରୋଧର ସମ୍ମୁଖୀନ ହୋଇଥିଲେ । ତାଙ୍କ ଉପରେ ଲାଲ କାଳି ପକାଯିବା ସହ ତାଙ୍କୁ ଠେଲାପେଲା କରାଯାଇଥିଲା ।

ଏହି ଘଟଣାକୁ ରୁଷର ବୈଦେଶିକ ମନ୍ତ୍ରାଳୟ ନିନ୍ଦା କରିବା ସହ ଏପରି କାର୍ଯ୍ୟ ଦ୍ବାରା ରୁଷ ଦବିଯିବ ନାହିଁ ବୋଲି କହିଛି । ସେହିପରି ପୋଲାଣ୍ଡ ସରକାର ଆଣ୍ଡ୍ରିଭଙ୍କୁ  ସୁରକ୍ଷା ଯୋଗାଇନଥିବାରୁ ରୁଷ ତାହାର ସମାଲୋଚନା କରିଛି ।

ସୂଚନାଯୋଗ୍ୟ ଯେ, ସୋମବାରଦିନ ମସ୍କୋର ରେଡ୍ ସ୍କ୍ବେୟାରରେ ୭୭ତମ ବିଜୟ ଦିବସ ପାଳନ କରିଛି ରୁଷ । ହଜାର ହଜାର ରୁଷ ସୈନ୍ୟ, ଯୁଦ୍ଧଯାନ, ଟ୍ୟାଙ୍କ, ଡ୍ରୋନ, ବିମାନ ଏହି ସାମରିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହି ସମାରୋହରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଓ ପରେନ ନିରୀକ୍ଷଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ନାଜି ଜର୍ମାନି ଉପରେ ରୁଷର ବିଜୟକୁ ପାଳନ କରିବାକୁ ପ୍ରତିବର୍ଷ ଏହି ସମାରୋହ ପାଳନ କରାଯାଏ । ଏବର୍ଷ ୟୁକ୍ରେନରେ ଯୁଦ୍ଧ ଚାଲିଥିବାରୁ ଏହି ସମାରୋହର ଗୁରୁତ୍ବ ବଢିଯାଇଛି ।

ସମ୍ବନ୍ଧିତ ଖବର