୧୦ କିଲୋମିଟର୍‌ ଦୂରରେ ରୁଷୀୟ ସେନା; ୟୁକ୍ରେନ୍‌ର ଓରିଖିଭ୍‌ରେ ଅବିଶ୍ରାନ୍ତ ଗୋଳା ବର୍ଷଣ

ନୂଆଦିଲ୍ଲୀ: ୟୁକ୍ରେନ୍‌ର କିବ୍‌ ଏବଂ ମାରିୟୁପୋଲ୍‌ ଭଳି ବଡ଼ ବଡ଼ ନଗରୀ ଭଳି ସ୍ବଳ୍ପ ଜଣାଶୁଣା ୟୁକ୍ରେନୀୟ ସହର ଓରିଖିଭ୍‌ରେ ମଧ୍ୟ ରୁଷୀୟ ସୈନିକମାନେ ଅବିଶ୍ରାନ୍ତ ଗୋଳା ବର୍ଷଣ କରୁଛନ୍ତି।

ଦକ୍ଷିଣ-ପୂର୍ବ ୟୁକ୍ରେନ୍‌ର ଜାପୋରିଝ୍‌ଝିଆ ଓବ୍ଲାଷ୍ଟ୍‌ରେ ଅବସ୍ଥିତ ଓରିଖିଭ୍‌ଠାରୁ ମାତ୍ର ୧୦ କିଲୋମିଟର୍‌ ଦୂରରେ ଥାଇ ଆକ୍ରମଣକାରୀ ରୁଷୀୟ ସେନା ଉକ୍ତ ସହର ଉପରେ ବିମାନ ଆକ୍ରମଣ ଓ ଗୋଳା ବର୍ଷଣ କରୁଛି। ଫଳରେ ଶିକ୍ଷାନୁଷ୍ଠାନ ସବୁ ଭାଙ୍ଗିଯିବା ସହ ଆବାସିକ ଅଟ୍ଟାଳିକା ସବୁ ଧ୍ବଂସସ୍ତୂପରେ ପରିଣତ ହୋଇଯାଉଛି।

ଅଳ୍ପଦିନ ତଳେ କ୍ଷେପରାସ୍ତ୍ର ଆକ୍ରମଣରେ ବାସଭବନ ହରାଇଥିବା ୭୩ ବର୍ଷିୟ ଭିକ୍ଟୋର୍‌ କହିନ୍ତି, ସେମ‌ାନେ ରାତିରେ ଗୋଳା ବର୍ଷଣ କରୁଛନ୍ତି। ରାତି ୧୦ଟା ବେଳେ ମୁଁ ଓ ମୋ କୁକୁର ରୋଷେଇଘରେ ଥିବା ବେଳେ ମୋ ଘର ଉପରେ ଗୋଳା ପଡ଼ିଲା। ମ‌ୋ ଶୋଇବା ଘର ସମେତ ଉପରତାଲା ଧ୍ବଂସ ହୋଇଯାଇଛି। ଛାତରେ ମଧ୍ୟ ବଡ଼ କଣାଟିଏ ହୋଇଯାଇଛି।

ୟୁକ୍ରେନୀୟ ସାମରିକ ଅଧିକାରୀ ନିକୋଲାଇଭ୍‌ କହନ୍ତି, ନିରବଚ୍ଛିନ୍ନ ରକେଟ୍‌ ଆକ୍ରମଣ ଓ ଗୋଳା ବର୍ଷଣ ଯୋଗୁଁ ସହର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି। ସହରରେ ୟୁକ୍ରେନ୍‌ ସୈନିକ ପ୍ରାୟ ନ ଥିଲେ ବି ରୁଷୀୟ ସୈନିକମାନେ ଜାଣିଶୁଣି ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି।

Image Courtesy of Zimbabwe Focus News

ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ଆଈବୁଢ଼ୀ ତାମାରା କହନ୍ତି, ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ପରିସ୍ଥିତି ବରଂ ଭଲ ଥିଲା। କାରଣ, ଏବେ ରୁଷୀୟ ସେନା ଯେଭଳି ଆଚରଣ କରୁଛି ଜର୍ମାନ୍‌ ସେନା ତା’ଠାରୁ ଢେର୍‌ ଭଲ ଥିଲା। ଜର୍ମାନ୍‌ ସେନା କେବେ ହେଲେ ଆମ ଘର ଉପରେ ଆକ୍ରମଣ କରୁ ନ ଥିଲେ। କିନ୍ତୁ, ରୁଷୀୟ ସେନାଙ୍କ ଆଖିରେ ଯାହା ପଡୁଛି, ତାହା ଉପରେ ଆକ୍ରମଣ କରୁଛନ୍ତି।

ଏ ଯୁଦ୍ଧ ଦ୍ବିତୀୟ ବିଶ୍ବଯୁଦ୍ଧ ଠାରୁ କଦର୍ଯ୍ୟ। ସେତେବେଳ ମୁଁ ବାହାରକୁ ଯାଇ ଖେଳି ପାରୁଥିଲି। କିନ୍ତୁ, ରୁଷୀୟମାନେ ସାଧାରଣ ନାଗରିକମାନଙ୍କ ଉପରେ ବୋମା ପକାଉଛନ୍ତି। ବଡ଼ ଭୟାବହ କଥା। ଏବେ ଘରୁ ପଦାକୁ ଗୋଡ଼ କାଢ଼ି ହେଉନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର