ୱାସିଂଟନ୍: ଦିନେ ଦୁଇ ଦିନ ମଧ୍ୟରେ ୟୁକ୍ରେନୀୟ ରାଜଧାନୀ କିବ୍ରୁ ରୁଷୀୟ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ମନ୍ତବ୍ୟ ଦେଇ ମଙ୍ଗଳବାର ଦିନ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି କହିଛନ୍ତି, ଏହା ବାସ୍ତବ ସୈନ୍ୟ ପ୍ରତ୍ୟାହାର ନୁହେଁ, ସୈନ୍ୟ ସ୍ଥାନାନ୍ତରଣ ଅଟେ।
ସାମ୍ବାଦିକ ସମ୍ମିଳନୀରେ କିର୍ବି କହିଛନ୍ତି, ଦିନେ ଦୁଇଦିନ ମଧ୍ୟରେ କିବ୍ରୁ ରୁଷୀୟ ସେନାର କୌଣସି ୟୁନିଟ୍ ଅପସାରିତ ହୋଇଛନ୍ତି କି? ଆମର ମନେହୁଏ ଯଦି ହୋଇଥାଆନ୍ତି, ସ୍ବଳ୍ପ ସଂଖ୍ୟାରେ ହୋଇଥିବେ। କିନ୍ତୁ, ଆମର ମନେହୁଏ ଏହା ସୈନ୍ୟମାନଙ୍କ ସ୍ଥାନ ପରିବର୍ତ୍ତନ। ବାସ୍ତବ ଅପସାରଣ ନୁହେଁ। ତେଣୁ, ୟୁକ୍ରେନ୍ର ଅନ୍ୟାନ୍ୟ ଅଞ୍ଚଳ ପ୍ରତି ହେବାକୁ ଥିବା ଆକ୍ରମଣ ପ୍ରତି ଆମେ ଜାଗ୍ରତ ରହିବା ଉଚିତ।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ରୁଷ୍ ଘୋଷଣା କରିଛି ଯେ, ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ସଦ୍ୟ ଆଲୋଚନା ପରେ କିବ୍ ଚତୁର୍ପାଶ୍ବରୁ ଯୁଦ୍ଧର ତୀବ୍ରତା ହ୍ରାସ କରାଯାଉଛି।
କିନ୍ତୁ, ପେଣ୍ଟାଗନ୍ କହିଛି ଯେ, ରୁଷ୍ର କିବ୍ ଦଖଲ କରିବା ଏବଂ ୟୁକ୍ରେନ୍କୁ ଜିଣିବା ଲକ୍ଷ୍ୟ ବିଫଳ ହୋଇଛି ସତ କିନ୍ତୁ, ବୋମା ବର୍ଷଣ ଚାଲିଥିବାରୁ ଏବେ ବି ରୁଷ୍ କିବ୍ ଆକ୍ରମଣ କରିପାରେ।
ତେଣେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ମଧ୍ୟ କହିଛନ୍ତି, ୟୁକ୍ରେନୀୟମାନେ ଅନଭିଜ୍ଞ ଜନତା ନୁହନ୍ତି। ଏହି ୩୪ ଦିନର ଆକ୍ରମଣ ଏବଂ ଗତ ୮ ବର୍ଷ ହେବ ଡୋନ୍ବାସ୍ରେ ହେଉଥିବା ଯୁଦ୍ଧରୁ ସେମାନେ ବହୁତ କିଛି ଶିକ୍ଷା ପାଇଛନ୍ତି। କେବଳ ପ୍ରତିଶ୍ରୁତିର ପରିଣତି ହିଁ ସେମାନଙ୍କର ବିଶ୍ବାସଭାଜନ ହୋଇପାରିବ।
ସୂଚନାଯୋଗ୍ୟ, ଦ୍ବୀତିୟ ବିଶ୍ବଯୁଦ୍ଧ ପରେ ଏହା ହେଉଛି କୌଣସି ୟୁରୋପୀୟ ଦେଶ ଉପରେ ବଡ଼ଧରଣର ଆକ୍ରମଣ। ଏଥିଯୋଗୁଁ, ପ୍ରାୟ ୪ ନିୟୁତ ଜନତା ଦେଶ ଛାଡ଼ି ଚାଲିଯାଇଥିବା ବେଳେ ହଜାର ହଜାର ମୃତାହତ ହୋଇଛନ୍ତି। ଗତକାଲି ଇସ୍ତାନ୍ବୁଲ୍ର ଗୋଟାଏ ରାଜପ୍ରାସାଦରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଆଲୋଚନା ଚାଲିଥିଲା।
କିବ୍ରୁ ରୁଷୀୟ ସେନା ଅପସାରଣ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ କହିଛନ୍ତି, ନିଜ ପ୍ରସ୍ତାବ ଅନୁସାରେ ସେମାନେ କାମ କରୁଛନ୍ତି କି, ନାହିଁ ଦେଖାଯାଉ। ଘଟଣା ଉପରେ ଆମେ ତୀବ୍ର ଦୃଷ୍ଟି ରଖିଛୁ।