ନୂଆଦିଲ୍ଲୀ: କୋଉ ଦେଶରୁ କ’ଣ କିଣିବ? ସେ ନିଷ୍ପତ୍ତି ଭାରତ ନିଏ। ଭାରତ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସକ୍ଷମ। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷ୍ରୁ ଭାରତ ତେଲ କିଣିବା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଏଭଳି କହିଛନ୍ତି। "ଆମେ ଭାରତର ଜାତୀୟ ସ୍ୱାର୍ଥକୁ ପୂର୍ଣ୍ଣ ସମ୍ମାନ ଦେଉଛୁ। ଜାତୀୟ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବୈଦେଶିକ ନୀତି ଗ୍ରହଣ କରିଛନ୍ତି ତାହାକୁ ଆମେ ପୂର୍ଣ୍ଣ ସମ୍ମାନ ଦେଉଛୁ। ସମ୍ପର୍କ ସୁଦୃଢ଼ କରିବା ପାଇଁ ଆମେ ନିୟମିତ ଯୋଗାଯୋଗ ବଜାୟ ରଖୁଛୁ" ବୋଲି କହିଛନ୍ତି ଲାଭରୋଭ।
ଲାଭରୋଭଙ୍କ କହିବା ମୁତାବକ, ମୁଁ ଭାରତ ଏବଂ ଆମେରିକା କିମ୍ବା ଭାରତ ଏବଂ ଅନ୍ୟ କୌଣସି ଦେଶ ମଧ୍ୟରେ ସୃଷ୍ଟି ହେଉଥିବା ପରିସ୍ଥିତିକୁ ଭାରତ-ରୁଷ ସମ୍ପର୍କର ମାନଦଣ୍ଡ ଭାବରେ ବିବେଚନା କରେ ନାହିଁ। ଆମର ଏକ ରଣନୈତିକ ସହଭାଗୀତା ଅଛି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ଚୀନର ତିଆନଜିନରେ ସାକ୍ଷାତ କରିଥିଲେ। ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଯିବେ। ଆମର ଦ୍ୱିପାକ୍ଷିକ କାର୍ଯ୍ୟସୂଚୀ ବହୁତ ବ୍ୟାପକ, ଯେଉଁଥିରେ ବାଣିଜ୍ୟ, ସାମରିକ ଏବଂ ବୈଷୟିକ ସହଯୋଗ ସହ ଅର୍ଥ, ମାନବିକ ବ୍ୟାପାର, ସ୍ୱାସ୍ଥ୍ୟସେବା, ଉଚ୍ଚ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ଏବଂ ନିଶ୍ଚିତ ଭାବରେ, ଏସସିଓ, ବ୍ରିକ୍ସ ଭଳି ଆନ୍ତର୍ଜାତୀୟ ଫୋରମରେ ଘନିଷ୍ଠ ସମନ୍ୱୟ ଅନ୍ତର୍ଭୁକ୍ତ।
ସେ ଆହୁରି କହିଛନ୍ତି ଯେ, ଏହି ବର୍ଷ, ଭାରତର ବୈଦେଶିକ ମନ୍ତ୍ରୀ ଏବଂ ମୋର ସହଯୋଗୀ ଜୟଶଙ୍କର ରୁଷ ଗସ୍ତ କରିବେ, ଏବଂ ମୁଁ ଭାରତ ଗସ୍ତ କରିବି। ମୁଁ ଆମ ବାଣିଜ୍ୟ ସମ୍ପର୍କ କିମ୍ବା ଆମ ତେଲର କ'ଣ ହେବ ତାହା ମଧ୍ୟ ଭାରତକୁ ପଚାରେନାହିଁ। କାରଣ ସେମାନେ ନିଜେ ଏହି ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସକ୍ଷମ।"
russian-foreign-minister