ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୋସିଆଲ ମିଡିଆ କମ୍ପାନି ମେଟାକୁ ରୁଷ ଦ୍ୱାରା ଆତଙ୍କବାଦୀ ଏବଂ କଠୋରପନ୍ଥୀ ସଂଗଠନ ଭାବେ ଘୋଷଣା କରାଯାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଏହାର ରିପୋର୍ଟରେ ଏହି ସୂଚନା ଦେଇ କହିଛି ଯେ ୟୁକ୍ରେନକୁ ସୋସିଆଲ ମିଡିଆରେ ମିଳୁଥିବା ସମର୍ଥନ ଯୋଗୁଁ ରୁଷ ଅସନ୍ତୁଷ୍ଟ ଅଛି ଏବଂ ଏହି କାରଣରୁ ମେଟାକୁ ଆତଙ୍କବାଦୀ ଏବଂ କଠୋରପନ୍ଥୀ ସଂଗଠନ ଭାବେ ଘୋଷଣା କରିଛି ରୁଷ।

Advertisment

ବର୍ଷ ଆରମ୍ଭରେ ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ମାର୍ଚ୍ଚରେ ରୁଷ ସରକାର ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ବର୍ତ୍ତମାନ ମସ୍କୋରେ ଥିବା କୋର୍ଟ ଦାବି କରିଛନ୍ତି ଯେ ମାର୍କ ଜୁକରବର୍ଗଙ୍କ କମ୍ପାନି ମେଟା କଠୋରପନ୍ଥୀ କାର୍ଯ୍ୟକଳାପ ସହ ଜଡିତ ଅଛି। ମସ୍କୋରେ ଥିବା କୋର୍ଟ ଏକ ରାୟ ଦେଇଛନ୍ତି ଯେ ମେଟାର ପ୍ଲାଟଫର୍ମଗୁଡିକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏଭଳି ବିଷୟବସ୍ତୁ ବାଣ୍ଟିବାକୁ ଅନୁମତି ଦେଉଛି ଯାହା ରୁଷର ଲୋକଙ୍କ ଉପରେ ହିଂସାକୁ ପ୍ରୋତ୍ସାହିତ କରୁଛି। ରୁଷ କହିଛି ଯେ, ମେଟା ୟୁକ୍ରେନରେ ସୋସିଆଲ ମିଡିଆ ପୋଷ୍ଟ ଜରିଆ ଉତ୍ତେଜନା ବଢ଼ାଇବାକୁ ଚେଷ୍ଟା କରୁଛି।

ଅନ୍ୟପକ୍ଷରେ ସୋସିଆଲ ମିଡିଆ କମ୍ପାନିର ଓକିଲ ଏହି ଅଭିଯୋଗକୁ ଖଣ୍ଡନ କରି କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ କମ୍ପାନି କୌଣସି କଠୋରପନ୍ଥୀ କାର୍ଯ୍ୟକଳାପ ସହ ଜଡ଼ିତ ନାହିଁ। ଯେଉଁମାନେ ରୁଷ ବିରୋଧରେ ଘୃଣା କିମ୍ବା ଭୟ ବିସ୍ତାର କରୁଥିବା ଲୋକଙ୍କୁ ମେଟା କେବେହେଲେ ସମର୍ଥନ କରିନାହିଁ।