ଖେରସନରୁ ରୁଷର ସୈନ୍ୟ ପ୍ରତ୍ୟାହାର ସଂପୂର୍ଣ୍ଣ, ସହରକୁ ନିୟନ୍ତ୍ରଣକୁ ନେଲା ୟୁକ୍ରେନ ସେନା

କିବ୍ : ଦକ୍ଷିଣ ୟୁକ୍ରେନର ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀରର ସେପାଖକୁ ଚାଲିଯାଇଛନ୍ତି । ରୁଷ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ସହ ୟୁକ୍ରେନ ସୈନ୍ୟ ସେଠାରେ ପହଞ୍ଚିଛନ୍ତି । ସହରର ସାଧାରଣ ଲୋକେ ୟୁକ୍ରେନ ସୈନ୍ୟଙ୍କୁ ସ୍ବାଗତ କରିବା ସହ ୟୁକ୍ରେନ ପତାକା ଉଡ଼ାଉଥିବା ଦେଖାଯାଉଛି ।

ଗତ ୯ ତାରିଖରେ ଖେରସନରୁ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ରୁଷ ଘୋଷଣା କରିଥିଲା । ୟୁକ୍ରେନ ଯୁଦ୍ଧ ଦାୟିତ୍ବରେ ଥିବା ରୁଷର କମାଣ୍ଡର ଜେନେରାଲ ସର୍ଗେଇ ସୁରୋଭିକିନଙ୍କ ପରାମର୍ଶକ୍ରମେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ ।

ଅନ୍ୟପକ୍ଷରେ ଏହା ରୁଷ ସୈନ୍ୟଙ୍କ ପରାଜୟ ବୋଲି ୟୁକ୍ରେନ କହିଛି । ୟୁକ୍ରେନ ସୈନ୍ୟଙ୍କ ପ୍ରବଳ ଆକ୍ରମଣ ଯୋଗୁଁ ରୁଷ ସୈନ୍ୟ ପଳାୟନ କରିଛନ୍ତି ବୋଲି ୟୁକ୍ରେନ କହିଛି । ୟୁକ୍ରେନ ସୈନ୍ୟ ପ୍ରବଳ ଆକ୍ରମଣ କରି ରୁଷ ସୈନ୍ୟଙ୍କ କବଳରୁ ଖେରସନର ୧୨ଟି ଜନବସତିକୁ ମୁକ୍ତ କରିଛି ।

ସେପଟେ ୟୁକ୍ରେନର ଅନ୍ୟ ଅଂଚଳ ଉପରେ ରୁଷର କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ ଜାରି ରହିଛି । ଏହା ଫଳରେ ୟୁକ୍ରେନ ବ୍ୟାପକ କ୍ଷତି ସହୁଛି । ତେବେ ଖେରସେନରୁ ରୁଷର ସୈନ୍ୟ ପ୍ରତ୍ୟାହାର ଏହି ଯୁଦ୍ଧକୁ ଏକ ନୂଆ ମୋଡ଼ ଦେବାର ସମ୍ଭାବନା ରହିଛି । କାରଣ ରୁଷ ଅନ୍ୟ କେତେକ ସହରରୁ ବି ସୈନ୍ୟ ପ୍ରତ୍ୟାହାର କରିପାରେ ବୋଲି ଆଲୋଚନା ହେଉଛି ।

 

 

ସମ୍ବନ୍ଧିତ ଖବର