ଆପଣଙ୍କ ପୁଅ ଅକାରଣରେ ମରିନାହିଁ; ୟୁକ୍ରେନ୍‌ରେ ଆମେ ଆମ ଲକ୍ଷ୍ୟ ହାସଲ କରିବା: ସୈନିକଙ୍କ ମାଆଙ୍କୁ କହିଲେ ପୁଟିନ୍‌

ମସ୍କୋ: ଯୁଦ୍ଧ କରିବା ପାଇଁ ୟୁକ୍ରେନ୍‌କୁ ପଠାଯାଇଥିବା କେତେକ ସୈନିକଙ୍କ ମାଆମାନଙ୍କୁ ଶୁକ୍ରବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭେଟି କଥାବାର୍ତ୍ତା କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ପ୍ରତି ସମବେଦନା ଜଣାଇ ପୁଟିନ୍‌ କହିଲେ, ଆପଣଙ୍କ ପୁଅର ମୃତ୍ୟୁ ବୃଥା ଯାଇ ନାହିଁ, ସେ ତା’ର ଲକ୍ଷ୍ୟ ହାସଲ କରିଛି।

ବାସ୍ତବ ପରିସ୍ଥିତି ବିଷୟରେ ଅବଗତ ହେବା ନିମନ୍ତେ ରାଷ୍ଟ୍ରପତି ପୁଟିନ୍‌ ସିଧାସଳଖ ସୈନିକମାନଙ୍କ ମାଆମାନଙ୍କୁ ଭେଟିବାକୁ ଚାହିଁଥିଲେ। ସେମାନଙ୍କୁ ସେ କହିଛନ୍ତି ଯେ, ଯୁଦ୍ଧ କ୍ଷେତ୍ରରେ ଥିବା ବୀର ସୈନିକମାନଙ୍କ ସହିତ ସେ ଥରକୁ ଥର ପ୍ରତ୍ୟକ୍ଷଭାବେ କଥାବାର୍ତ୍ତା କରୁଛନ୍ତି। ଟେଲିଭିଜନ୍‌ ଅଥବା ଇଣ୍ଟର୍‌ନେଟ୍‌ରେ ଆସୁଥିବା ଯୁଦ୍ଧ ସଂକ୍ରାନ୍ତ ବିଭ୍ରାନ୍ତିକର ଖବରକୁ ବିଶ୍ବାସ ନ କରିବା ଲାଗି ସେ ମାଆମାନଙ୍କୁ କହିଥିଲେ।

Image Courtesy of WION

ମସ୍କୋ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ଟେଲିଭିଜନ୍‌ରେ ପ୍ରସାରିତ ବୈଠକରେ ପୁଟିନ୍‌ କହିଲେ, ପୁତ୍ର ହରାଇବା କ୍ଷତି କ‌ୌଣସି ଜିନିଷ ଭରଣା କରିପାରିବ ନାହିଁ। ଆମେ ନିଶ୍ଚୟ ଆମର ଲକ୍ଷ୍ୟ ହାସଲ କରିବୁ ଏବଂ ଶେଷରେ ନିଶ୍ଚୟ ସେ ଲକ୍ଷ୍ୟ ହାସଲ କରିବୁ।

ଏହି ବୈଠକରେ ଗୋଟାଏ ବଡ଼ ଟେବୁଲ୍‌ ପାଖରେ ୧୭ଜଣ ମାଆଙ୍କ ସହିତ ପୁଟିନ୍‌ ବସିଥିଲେ। ଶୋକର ସଙ୍କେତ ଭାବେ ସେମାନଙ୍କ ମଧ୍ୟରୁ କେତେଜଣ କଳା ରଙ୍ଗର ମଥାବରଣ ପିନ୍ଧିଥିଲେ।

କିନ୍ତୁ, ସମାଲୋଚକମାନେ କହିଛନ୍ତି, ପୁଟିନ୍‌ ଭେଟିଥିବା ସୈନିକମାନଙ୍କ ମାଆମାନଙ୍କୁ ମଧ୍ୟରୁ କେତେଜଣ ଥିଲେ କ୍ରେମ୍‌ଲିନ୍‌ ଆନ୍ଦୋଳନର ସଦସ୍ୟା। ସାବଧାନତାର ସହିତ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉକ୍ତ ବୈଠକରେ ଯୋଗ ଦେବା ପାଇଁ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର