କିବ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧର ପଞ୍ଚମ ଦିନରେ ବି କିବ୍ରେ ଜୋରଦାର ଲଢ଼େଇ ଜାରି ରହିଛି। ବେଲାରୁଷ୍ରେ ରୁଷ୍-ୟୁକ୍ରେନ୍ କଥାବାର୍ତ୍ତା ଆରମ୍ଭ ହୋଇଥିବାବେଳେ ଉଭୟ ରୁଷ୍ ଏବଂ ୟୁକ୍ରେନ୍ ପରସ୍ପରକୁ ଆଜି ଚରମ ବାଣୀ ଶୁଣାଇଛନ୍ତି। ରୁଷ୍ ସେନା ଦାବି କରୁଛି ଯେ ଏହା ୟୁକ୍ରେନ୍ର ବାୟୁସୀମାକୁ ସମ୍ପୂର୍ଣ୍ଣ ଦଖଲକୁ ନେଇ ସାରିଛି। ନାଗରିକମାନେ ତୁରନ୍ତ କିବ୍ ଛାଡ଼ି ଦେବାପାଇଁ ରୁଷ୍ ଚେତାବନୀ ଦେଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାଶେଙ୍କଭ କହିଛନ୍ତି, କିବ୍ ସହରର ସମସ୍ତ ନାଗରିକ ମୁକ୍ତ ଭାବେ କିବ୍ -ବସିଲକିଭ ରାଜପଥ ଦେଇ କିବ୍ ଛାଡ଼ିପାରିବେ। ଏହି ଦିଗ କିବ୍ ନାଗରିକଙ୍କ ପାଇଁ ଖୋଲା ରହିଛି ଏବଂ ଏହା ସୁରକ୍ଷିତ ମଧ୍ୟ। ୟୁକ୍ରେନ୍ ଢାଲ ଭାବେ ନାଗରିକଙ୍କୁ ବ୍ୟବହାର କରୁଛି ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ରୁଷ୍ ସୈନିକଙ୍କୁ ଚେତାବନୀ ଦେଇଛନ୍ତି। ରୁଷ୍ ସୈନିକମାନେ ଜୀବନ ବଞ୍ଚାଇ ୟୁକ୍ରେନ୍ ଛାଡ଼ି ଚାଲିଯାଆନ୍ତୁ ବୋଲି ଜେଲେନସ୍କି କହିଛନ୍ତି। ବେଲାରୁଷ୍ରେ ରୁଷ୍-ୟୁକ୍ରେନ୍ ଐତିହାସିକ କଥାବାର୍ତ୍ତା ଜାରି ରହିଥିବାବେଳେ ଜେଲେନସ୍କି ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ଏଭଳି ଟିପ୍ପଣୀ ରଖିଛନ୍ତି। ଜେଲେନସ୍କି ଦାବି କରିଛନ୍ତି ଯେ ୟୁକ୍ରେନ୍ ୪,୫୦୦ରୁ ଅଧିକ ରୁଷ୍ ସୈନିକଙ୍କୁ ନିପାତ କରିଛି। ଗତ ୪ ଦିନ ମଧ୍ୟରେ ରୁଷ୍ ଆକ୍ରମଣରେ ୧୬ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି।
ବିଶ୍ବର ବୃହତ୍ତମ ବିମାନ ରକେଟ୍ ମାଡ଼ରେ ଧ୍ବସ୍ତ
ବିଶ୍ବର ବୃହତ୍ତମ କାର୍ଗୋ ବିମାନ ଆଣ୍ଟୋନୋଭ୍-୨୨୫ ରୁଷ୍ର ରକେଟ୍ ମାଡ଼ରେ ଧ୍ବଂସ ପାଇଯାଇଛି। ରବିବାର ହଷ୍ଟୋମେଲ ବିମାନବନ୍ଦରରେ ଥିବା ଉକ୍ତ ବୃହତ୍ତମ ବିମାନର ହ୍ୟାଙ୍ଗର ଉପରେ ରୁଷ୍ର ଏକ କ୍ଷେପଣାସ୍ତ୍ର ପଡ଼ିବାରୁ ‘ମ୍ରିୟା’ ବା ‘ଡ୍ରିମ’ ନାମରେ ପରିଚିତ ଏହି ବିମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୟୁକ୍ରେନ୍ ସୋଭିଏତ୍ ସଂଘ ସହ ଥିବାବେଳେ ୧୯୮୦ ଦଶକରେ ଏହା ତିଆରି ହୋଇଥିଲା। ଏହାର ଡେଣାର ଲମ୍ବା ଏକ କ୍ରିକେଟ ପଡ଼ିଆ ସାଙ୍ଗେ ପ୍ରାୟ ସମାନ। ଏ ଧରଣର ବିମାନ ପୃଥିବୀରେ ଏହି ମାତ୍ର ଗୋଟିଏ ଥିଲା।