ଲଣ୍ଡନ : ୟୁକ୍ରେନ ଯୁଦ୍ଧକୁ ୯ ମାସ ଚାଲିଥିବାବେଳେ ରୁଷ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଶେଷ ହୋଇଆସୁଥିବା ସଂଦେହ କରାଯାଉଛି । ଏବେ ରୁଷ ପକ୍ଷରୁ ପୁରୁଣା ମିସାଇଲଗୁଡ଼ିକୁ ବାହାର କରି ୟୁକ୍ରେନ ଉପରେ ନିକ୍ଷେପ କରାଯାଉଛି ।
ଏସବୁ ପୁରୁଣା କ୍ରୁଜ୍ ମିସାଇଲଗୁଡ଼ିକୁ ୮୦ ଦଶକରେ ତିଆରି କରାଯାଇଥିଲା । ଏଗୁଡ଼ିକରେ ନ୍ୟୁକ୍ଲିୟର ଓ୍ବାରହେଡ୍ ( ପରମାଣୁ ବୋମା) ଲଗାଯାଇଥିଲା । କିନ୍ତୁ ମିସାଇଲରୁ ଓ୍ବାରହେଡଗୁଡ଼ିକୁ କାଢି ନିକ୍ଷେପ କରାଯାଉଛି ବୋଲି ବ୍ରିଟିସ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏକ ରିପୋର୍ଟ ପ୍ରସ୍ତୁତ କରିଛି ।
ଏହି ରିପୋର୍ଟ ଅନୁସାରେ ୟୁକ୍ରେନରେ ପଡ଼ିଥିବା ଏପରି ଏକ ପୁରୁଣା କ୍ରୁଜ ମିସାଇଲର ଧ୍ବଂସାବଶେଷର ଡିଜାଇନକୁ ଦେଖିଲେ ଜଣାପଡ଼ିଛି ଯେ ତାହା ୮୦ ଦଶକର । ଓ୍ବାରହେଡ ନଥିଲେ ବି ଏହି ମିସାଇଲ ଗୁଡ଼ିକ ଯେଉଁ ସ୍ଥାନରେ ପଡ଼ିବ ସେଠାରେ କ୍ଷତି କରିବାକୁ ସକ୍ଷମ । ଏହି ମିସାଇଲଗୁଡ଼ିର ଦ୍ରୁତ ଗତି ଓ ଇନ୍ଧନରେ ହେଉଥିବା ବିସ୍ପୋରଣ ଯୋଗୁଁ କ୍ଷତି ହୋଇଥିଏ । କିନ୍ତୁ ଏଗୁଡ଼ିକ ଆଶାନୁରୂପଭାବେ ଫଳାଫଳ ଦେବାକୁ ଅକ୍ଷମ ।
ଗତ କାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ରୁଷ ସେନା ଖୁବଶୀଘ୍ର ୟୁକ୍ରେନରେ ନିଜର ଲକ୍ଷ୍ୟ ହାସଲ କରିବାକୁ ଯାଉଛି । ସହିଦ ସୈନିକମାନଙ୍କ ପରିବାରକୁ ଭେଟିବା ଅବସରରେ ପୁଟିନ ଏହା କହିଥିଲେ । ନିଜର ଏହି ଲକ୍ଷ୍ୟ ହାସଲ ପାଇଁ ରୁଷ ଗତ କିଛି ଦିନ ହେଲା ନିଜର ଆକ୍ରମଣକୁ ତୀବ୍ର କରିଛି ।