ନୂଆଦିଲ୍ଲୀ: କାଜାଖସ୍ତାନରେ ରୁଷ୍ର ଗ୍ରୋଜନି ଅଭିମୁଖେ ଯାଉଥିବା ଆଜରବାଇଜାନର ଯାତ୍ରୀବାହୀ ବିମାନ ଗତକାଲି ଦୁର୍ଘଟଣାଗ୍ରସ୍ତ ହୋ ୪୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜରବାଇଜାନ ଏୟାରଲାଇନ୍ସର ବିମାନଟି ପକ୍ଷୀ ମାଡ଼ର ଶିକାର ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ବେଳେ କେତେକ ସାମରିକ ବିଶେଷଜ୍ଞ କହିଛନ୍ତି ଯେ ଏହି ବିମାନ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍ ମାଡ଼ର ଶିକାର ବି ହୋଇଥାଇପାରେ। ଭୁଲବଶତଃ ରୁଷ୍ରୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପଣ ହୋଇଥିବା କୌଣସି କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ ଦ୍ବାରା ବିମାନ ଧକ୍କା ଖାଇଥାଇପାରେ ବୋଲି ସାମରିକ ବିଶେଷଜ୍ଞମାନଙ୍କ ଆଶଙ୍କାକୁ ରୁଷ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବିନା ତଦନ୍ତରେ ଏଭଳି ଯୁକ୍ତି କଦାପି ଗ୍ରହଣୀୟ ନୁହେଁ ବୋଲି କ୍ରେମ୍ଲିନ ସ୍ପଷ୍ଟ କରିଛି।
ସାମରିକ ବିଶେଷଜ୍ଞଙ୍କ ଆଶଙ୍କାକୁ ରୁଷ୍ର ଖଣ୍ଡନ
ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାର ତଦନ୍ତ ଜାରି ରହିଛି ଏବଂ କେତେକ ପଶ୍ଚିମ ଗଣମାଧ୍ୟମ ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ଏହି ବିମାନ ଖସିପଡ଼ିଥିବା ଆଶଙ୍କା କରି ରିପୋର୍ଟ ପ୍ରକାଶ କରିଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏକ ଭିଡିଓରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଏକାଧିକ ବଡ଼ ବଡ଼ ଗାତ ଦେଖିବାକୁ ମିଳିଥିବାରୁ ଏଭଳି ଆଶଙ୍କା କରାଯାଉଛି। ଆଜରବାଇଜାନ ଏୟାରଲାଇନ୍ସର ବିମାନ ଗତକାଲି ଯେଉଁ ଅଂଚଳ ଦେଇ ଉଡ଼ାଣ ଭରିଥିଲା ଯେଉଁଠାରେ ରୁଷ୍ର ବିଭିନ୍ନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ହାଇଆଲର୍ଟରେ ରହିଛି ବୋଲି କେତେକ ରିପୋର୍ଟରେ କୁହାଯାଇଛି। ‘ଦ କିବ୍ ଇଣ୍ଡିପେଣ୍ଡେଣ୍ଟ’ ରିପୋର୍ଟରେ କୁହାଯାଇଛି ଯେ କ୍ଷତିଗ୍ରସ୍ତ ବିମାନର ଅଂଶଗୁଡ଼ିକରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ମାଡ଼ ପ୍ରଭାବର ଚିହ୍ନ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ କେତେକ ଯୁଦ୍ଧବିମାନକୁ କ୍ଷେପଣାସ୍ତ୍ର ମାଡ଼ ହେବାପରେ ଏଭଳି ଚିହ୍ନ ଦେଖିବାକୁ ମିଳିଥିଲା ବୋଲି କୁହାଯାଇଛି।