କିବ୍: ୟୁକ୍ରେନ୍ର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସହର ବାଖ୍ମୁଟ ସଂପୂର୍ଣ୍ଣ ଭାବେ ରୁଷ୍ ଦଖଲକୁ ଆସିଯିବା ସ୍ଥିତି ସୃଷ୍ଟି ହୋଇଛି । ରୁଷ୍ ପାଇଁ ରଣନୀତିକ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ବାଖ୍ମୁଟ ସହର ଦଖଲ ପାଇଁ ରୁଷ୍ ସେନା ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସହର ଉପରେ ଅହରହ ଗୋଳାବର୍ଷା ଜାରି ରହିଥିବା ବେଳେ ଏଠାରେ ୟୁକ୍ରେନ୍ ସେନା ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୫ ଶହରୁ ଅଧିକ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ଏହି ସହରକୁ ରୁଷ୍ ହାତରୁ ରକ୍ଷା କରିବା ପାଇଁ ସପ୍ତାହେ ହେଲା ୟୁକ୍ରେନ୍ ସେନା ଭୀଷଣ ସଂଘର୍ଷ ଜାରି ରଖିଥିବା ବେଳେ ଆଜି ସ୍ଥିତି ବଦଳି ଯାଇଛି। ରୁଷ୍ ସେନା ପୂରା ସହରକୁ ଚାରିପଟେ ଘେରି ରହିଛନ୍ତି ଏବଂ ୟୁକ୍ରେନ୍ ସେନା ବିଭିନ୍ନ ଅଞ୍ଚଳରୁ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି।
ସହରର ବାସିନ୍ଦାମାନେ ଘରଦ୍ବାର ଛାଡ଼ି ହଜାର ହଜାର ସଂଖ୍ୟାରେ ପଳାୟନ କରୁଥିବା ଦେଖିବାକୁ ମିଳିଛି। ଲୋକେ ସହର ଖାଲି କରିବା ପାଇଁ ରୁଷ୍ ସେନା ମଧ୍ୟ ସେମାନଙ୍କୁ ସୁଯୋଗ ଦେଉଛି। ବିଗତ ୩୬ ଘଣ୍ଟାରେ ଏଠାରେ ୫ ଶହରୁ ଅଧିକ ୟୁକ୍ରେନ୍ ସୈନିକ ନିହତ ହୋଇଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି। ସହରକୁ ସଂଯୋଗ କରୁଥବା ଦୁଇଟି ଗୁରୁତ୍ବପୂର୍ଣ୍ଣ ପୋଲ୍କୁ ୟୁକ୍ରେନ୍ ସେନା ନଷ୍ଟ କରିଦେଇଛି। ରୁଷ୍ ସେନାକୁ ରୋକିବା ପାଇଁ ଏପରି କରାଯାଇଛି। ଏହା ସତ୍ତ୍ବେ ରୁଷ୍ ସେନା ସହରକୁ ଘେରିଯିବାକୁ ସକ୍ଷମ ହୋଇଥିବାରୁ ଯେ କୌଣସି ସମୟରେ ଏହି ସହରର ପତନ ଘଟିବ ବୋଲି କୁହାଯାଉଛି।