ଯୁଦ୍ଧ ମଧ୍ୟରେ ଋଷ ତରଫରୁ ଭାରତକୁ ମିଳିଲା ଆକର୍ଷଣୀୟ ପ୍ରସ୍ତାବ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ୟୁରୋପୀୟ ଦେଶମାନେ ଋଷ ଉପରେ ଅନେକ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରତିବନ୍ଧ ଦ୍ଵାରା ସମସ୍ୟାକୁ ସାମନା କରୁଥିବା ଋଷର ତୈଳ କମ୍ପାନୀଗୁଡିକ ଭାରତ ପାଇଁ ଯଥେଷ୍ଟ ରିହାତି (ଡିସକାଉଣ୍ଟ) ଦେବାକୁ ଘୋଷଣା କରୁଛନ୍ତି।

ରିପୋର୍ଟ ଅନୁସାରେ ଋଷର ତୈଳ କମ୍ପାନୀଗୁଡିକ ଅଶୋଧିତ ତୈଳର ପୁରୁଣା ମୂଲ୍ୟ ଉପରେ ୨୫ରୁ ୨୭ ପ୍ରତିଶତ ରିହାତି ଦେଉଛନ୍ତି। ପ୍ରସ୍ତାବଗୁଡିକ ଆକର୍ଷକ କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଯେ ତୈଳ କିଣିବା ପରେ କିପରି ଅର୍ଥ ପ୍ରଦାନ କରାଯିବ।

ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷକୁ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସ୍ଵିଫ୍ଟରୁ ହଟାଇ ଦିଆଯାଇଛି ଯାହାଦ୍ଵାରା ଋଷ ପାଇଁ ଅନ୍ୟ ଦେଶମାନଙ୍କ ସହ ବ୍ୟବସାୟ କରିବା କଷ୍ଟକର ହୋଇପଡିଛି। ଋଷ ସରକାର ଏହି ସ୍ଥିତିରୁ ବାହାରିବା ପାଇଁ ଏକ ନୂତନ ନେଣଦେଣ ବ୍ୟବସ୍ଥା ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି ଏହା ସଫଳ ହୁଏ ତେବେ ଯାଇ ଭାରତ ସହିତ ଋଷର ତୈଳର ବ୍ୟବସାୟ ବଢିପାରିବ।

ଅବଶ୍ୟ ଏହା ବି କୁହାଯାଉଛି ଯେ ପ୍ରତିବନ୍ଧ ମଧ୍ୟରେ ଋଷ ସହିତ ବ୍ୟବସାୟ କରିବା ପୂର୍ବରୁ ଭାରତକୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ। କାରଣ ଋଷରୁ ତୈଳ କିଣିଲେ କିଛି ଦେଶ ଭାରତ ଋଷକୁ ଆର୍ଥିକ ସହାୟତା କରୁଛି ବୋଲି ଅଭିଯୋଗ କରିପାରନ୍ତି।

ଋଷର ସବୁଠୁ ବଡ ତେଲ କମ୍ପାନୀ ରୋସନେଫ୍ଟ ଠାରୁ ଭାରତ ଅଧିକ ମାତ୍ରାରେ ଅଶୋଧିତ ତୈଳ କିଣିଥାଏ। ଗତବର୍ଷ ଡିସେମ୍ବରରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ରୋସନେଫ୍ଟ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ୨୦୨୨ର ଶେଷ ସୁଦ୍ଧା ନୋଭୋରୋସ୍ସିଏସ୍କ ବନ୍ଦର ଦେଇ ଭାରତକୁ ୨ କୋଟି ଟନ ପର୍ଯ୍ୟନ୍ତ ତୈଳ ଯୋଗାଇବାକୁ ଏକ ଚୁକ୍ତିରେ ସ୍ଵାକ୍ଷର କରିଥିଲେ।

ଭାରତ ମଧ୍ୟ-ପ୍ରାଚ୍ୟ ଦେଶଗୁଡ଼ିକ ଉପରେ ତୈଳ କିଣିବାକୁ ନେଇ ନିର୍ଭର କରିଥାଏ। ତେବେ ଭାରତ, ଋଷ ଓ ଆମେରିକା ଭଳି ଦେଶଠାରୁ ଅଧିକ ତୈଳ କିଣିବା ପାଇଁ ଚାହୁଁଛି, ଯାହା ଦ୍ଵାରା ତେଲ କ୍ରୟର ଆମଦାନୀରେ ବିବିଧତା ଆସିବ।

ସମ୍ବନ୍ଧିତ ଖବର