ମସ୍କୋ : ରୁଷିଆ ରାଜଧାନୀ ମସ୍କୋ ନିକଟରେ ଆଜି ଏକ ଘରୋଇ ଯାତ୍ରୀବାହୀ ବିମାନ ଆଣ୍ଟୋନୋଭ ଏଏନ୍-୧୪୮ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିମାନର ସମସ୍ତ ୬୫ ଯାତ୍ରୀ ଏବଂ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ରୁଷିଆର ସାରାତୋଭ୍ ଏୟାରଲାଇନ୍ସର ଏହି ବିମାନଟି ଉରାଲ ପ୍ରଦେଶର ଏଓରାକ୍ସ ଅଭିମୁଖେ ଯାଉଥିଲା। ତେବେ ମସ୍କୋର ଡୋମୋଡେଡୋଭୋ ବିମାନ ବନ୍ଦର ଛାଡ଼ିବାର ମାତ୍ର ୧୦ ମିନିଟ୍ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ୍ ୬ହଜାର ୨ଶହ ଫୁଟ ଉଚ୍ଚତାରୁ ୩ହଜାର ୨ଶହ ଫୁଟ ଉଚ୍ଚତାକୁ ଖସି ଆସିବା ସହ ମସ୍କୋ ନିକଟ ରାମେନସ୍କି ଜିଲ୍ଲାର ଆଗ୍ରୁନୋଭୋ ଗ୍ରାମ ଆକାଶରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଏହାର ଭଗ୍ନ ଅଂଶ ସବୁ ବିକ୍ଷିପ୍ତ ଭାବେ ଛିଟିକି ପଡ଼ିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ପାଇଲଟଙ୍କ ତ୍ରୁଟି ଅବା ଖରାପ ପାଗ ପାଇଁ ହୋଇଥିବା ଆଶଙ୍କା କରାଯାଉଛି। ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ବିମାନର ଭଗ୍ନାଂଶଗୁଡ଼ିକ ଏକ ବରଫାବୃତ ଅଞ୍ଚଳରେ ବିକ୍ଷିପ୍ତ ହୋଇ ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/masco.jpeg)