ନୂଆଦିଲ୍ଲୀ: ଚୀନ୍ ସୀମା ନିକଟରେ ଥିବା ଦେଶର ସୁଦୂର ପୂର୍ବାଞ୍ଚଳରେ ସୋମବାର ୪୯ ଜଣଙ୍କୁ ନେଇ ଯାଉଥିବା ରୁଷ୍ର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ଉଡ଼ାଣ ମଝିରେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲରମାନଙ୍କର ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାର କିଛି ମିନିଟ୍ ପରେ ବିମାନଟି ଜଳୁଥିବା ଦେଖିବାକୁ ମିଳିଥିଲା। ପ୍ରାଥମିକ ବିଶ୍ଳେଷଣରୁ ଜଣାପଡିଛି ଯେ ଖରାପ ଦୃଶ୍ୟମାନତାରେ ଅବତରଣ କରିବା ସମୟରେ ପାଇଲଟ୍ ତ୍ରୁଟି ଆମୁର ଅଞ୍ଚଳର ଟିଣ୍ଡା ସହରରେ ଦୁର୍ଘଟଣା ଘଟାଇଥାଇପାରେ।
ସ୍ଥାନୀୟ ଜରୁରିକାଳୀନ ମନ୍ତ୍ରଣାଳୟ କହିଛି ଯେ, ସାଇବେରିଆର ଅଙ୍ଗାରା ଏୟାର୍ଲାଇନ୍ସ ଦ୍ୱାରା ପରିଚାଳିତ ଆଣ୍ଟୋନୋଭ ଆନ୍-୨୪ ବିମାନ ଟିଣ୍ଡା ବିମାନବନ୍ଦରକୁ ପ୍ରାରମ୍ଭିକ ପ୍ରବେଶ ବିଫଳ ହେବା ପରେ ଦ୍ୱିତୀୟ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ରାଡାରରୁ ନିଖୋଜ ହୋଇଯାଇଥିଲା। ବିମାନଟି ସୋଭିଏତ୍ ଯୁଗର ଥିଲା ଏବଂ ଏହା ପାଖାପାଖି ୫୦ ବର୍ଷ ପୁରୁଣା ଥିଲା। ଏହାର ଲେଜ୍ ନମ୍ବରରୁ ଜଣାପଡିଛି ଯେ ଏହା ୧୯୭୬ ମସିହାରେ ନିର୍ମିତ ହୋଇଥିଲା। ଆଞ୍ଚଳିକ ଗଭର୍ଣ୍ଣର ଭାସିଲି ଓର୍ଲୋଭ କହିଛନ୍ତି ଯେ ପ୍ରାଥମିକ ତଥ୍ୟ ଅନୁଯାୟୀ ବିମାନରେ ୫ ଜଣ ଶିଶୁଙ୍କ ସମେତ ୪୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବର ଥିଲେ। କର୍ତ୍ତୃପକ୍ଷ ଦୁର୍ଘଟଣାର ତଦନ୍ତ ଘୋଷଣା କରିଛନ୍ତି।