ରିୟାଦ୍: ବୁଧବାର ଦିନ ‘ସଂଯୁକ୍ତ ଆରବ ଏମିରେଟସ୍’ ଓ ସାଉଦି ଆରବ ଗସ୍ତରେ ଯାଇଥିବା ରୁଷୀୟ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଏହି ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ୍ ମଧ୍ୟପ୍ରାଚ୍ୟରେ ଥିବା ତାଙ୍କର ‘ପ୍ରିୟ ବନ୍ଧୁ’ମାନଙ୍କୁ ଭେଟି ତୈଳ ସହଯୋଗ ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ଅଛି।
ସମ୍ପ୍ରତି ‘ସିଓପି୨୮ ଜଳବାୟୁ ଶିଖର ସମ୍ମିଳନୀ’ ଆୟୋଜନ କରିଥିବା ସଂଯୁକ୍ତ ଆରବ ଏମିରେଟ୍ସ୍ ବା ‘ୟୁଏଇ’ରେ ରାଷ୍ଟ୍ରପତି ପୁଟିନ ପହଞ୍ଚିବା ପରେ ତାଙ୍କୁ ରାଷ୍ଟ୍ରପତିଙ୍କ ପ୍ରାସାଦକୁ ନିଆଯାଇଥିଲା। ସେଠାରେ ତାଙ୍କୁ ୨୧ଟି ତୋପ ସଲାମୀଦ୍ବାରା ସ୍ବାଗତ କରାଯାଉଥିବା ବେଳେ ଆକାଶରେ ରୁଷୀୟ ପତାକା ରଙ୍ଗ ବିଚ୍ଛୁରଣ କରି ଲଢୁଆ ବିମାନ ସବୁ ଉଡୁଥିଲେ।
‘ୟୁଏଇ’ର ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ କହିଛନ୍ତି ଯେ, ସେ ଓ ରୁଷୀୟ ନେତା ‘ଆଲୋଚନା ଦୃଢ଼ିକରଣ ଓ ସ୍ଥିରତା ଏବଂ ପ୍ରଗତି ସୁନିଶ୍ଚିତ କରିବା ଲାଗି ସହଯୋଗର ଗୁରୁତ୍ବ ଉପରେ ଆଲୋଚନା କରିଛନ୍ତି।
‘ୟୁଏଇ’ ଗସ୍ତ ଶେଷ କରି ପୁଟିନ୍ ସାଉଦି ଆରବ ଗସ୍ତରେ ଯାଇ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ୍ ବିନ୍ ସଲ୍ମାନ୍ଙ୍କୁ ଭେଟିଥିଲେ। ୨୦୧୯ରେ ପରେ ଏହା ଥିଲା ଦୁହଁଙ୍କର ପ୍ରତ୍ୟକ୍ଷ ସାକ୍ଷାତ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମନ୍ତ୍ରଣ କରିଥିବା ପୁଟିନ୍ ମହମ୍ମଦ୍ ବିନ୍ ସଲ୍ମାନ୍ଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଦୁଇ ନେତାଙ୍କର ପରବର୍ତ୍ତୀ ବୈଠକ ମସ୍କୋରେ ଆୟୋଜନ କରାଯିବ।
ପୁଟିନଙ୍କ ଗସ୍ତର ସଫଳତା ସଂକ୍ରାନ୍ତରେ ଖୁବ୍ ସ୍ବଳ୍ପ ସୂଚନା ମିଳିଥିଲେ ବି, ସାମାଜିକଗଣମାଧ୍ୟମରେ ଭାଇରାଲ୍ ହେଉଥିବା ସେମାନଙ୍କ ବନ୍ଧୁତ୍ବପୂର୍ଣ୍ଣ କରମର୍ଦ୍ଦନରୁ ଜଣାପଡୁଛି ଯେ, ସାଉଦୀ ଓ ରୁଷ୍ ନେତାଙ୍କ ଆଲୋଚନା ସଫଳ ହୋଇଛି।
‘ଆନ୍ତର୍ଜାତିକ ଅପରାଧିକ ଅଦାଲତ’ ପୁଟିନ୍ଙ୍କ ନାଁରେ ଗିରଫ ପର୍ୱାନା ଜାରି କରିଥିବାରୁ ସେ ଦକ୍ଷିଣ ଆଫ୍ରିକାରେ ଆେୟୋଜିତ ‘ବ୍ରିକ୍ସ୍ ଶିଖର ସମ୍ମିଳନୀ’ ଓ ଭାରତରେ ଆୟୋଜିତ ‘ଜି୨୦ ଶିଖର ବୈଠକ’ ଭଳି ବୈଶ୍ବିକ ସମାବେଶକୁ ଆସି ନ ଥିଲେ ବୋଲି ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।