ଠିଆ ହେବା ବେଳେ ଥରି ଯାଉଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌: ରିପୋର୍ଟ

ନୂଆଦିଲ୍ଲୀ: କ୍ରେମ୍‌ଲିନ୍‌ରେ ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଠିଆ ହେବାକୁ ଉଦ୍ୟମ କରିବା ବେଳେ ଥରି ଯାଉଛନ୍ତି ବୋଲି ଗୋଟାଏ ନୂଆ ଭିଡିଓରେ ଦେଖି ‘ନ୍ୟୁୟକର୍ ପୋଷ୍ଟ୍‌’ ରିପୋର୍ଟ କରିଛି। ସାମାଜିକ ଗଣମାଧ୍ୟମରେ ସମ୍ପ୍ରତି ଏହି ଭିଡିଓର ବହୁଳ ପ୍ରସାରଣ ହେଉଛି।

ଇଂଲଣ୍ଡ୍‌ର ‘ଏକ୍ସପ୍ରେସ୍‌’ ରିପୋର୍ଟ କରିଛି:  ରବିବାର ଦିନ ଚଳଚ୍ଚିତ୍ର ନିର୍ମାତ୍ରୀ ନିକିତା ମିଖାଇଲ୍‌କୋଭ୍‌ଙ୍କୁ ‘ଷ୍ଟେଟ୍‌ ପ୍ରାଇଜ୍‌ ଫର୍‌ ରଷିଆନ୍‌ ଫେଡେରେସନ୍‌’ ପୁରସ୍କାର ପ୍ରଦାନ କରିବା ପରେ ୬୯ ବର୍ଷିୟ ପୁଟିନ୍‌ ଆଗକୁ ଓ ପଛକୁ ଝୁଙ୍କୁ ପଡୁଥିବା ଭିଡିଓରେ ଦେଖାଯାଉଛି। ପୋଡିୟମ୍‌ ନିକଟରେ ଠିଆ ହୋଇଥିବା ବେଳେ ପୁଟିନ୍‌ଙ୍କ ଗୋଡ଼ ମଧ୍ୟ ଥରୁଥିବା ଦେଖାଯାଉଛି।

Image Courtesy of NDTV

ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ଦୀର୍ଘ ସମୟ ଧରି ସର୍ବସାଧାରଣ ସ୍ଥାନରେ ନ ରହିବାକୁ ଡାକ୍ତରମାନେ ପୁଟିନ୍‌ଙ୍କୁ ପରାମର୍ଶ ଦେଇଥିବା କଥା ଏହି ଭିଡିଓକୁ ଦେଖି ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

Image Courtesy of Master News News 24

‘ଟେଲିଗ୍ରାମ୍‌’ ଚାନେଲ୍‌ ଜେନେରାଲ୍‌ ଏସ୍‌ଭିଆର୍‌ଙ୍କ ଦାବି ଉପରେ ଉକ୍ତ ରିପୋର୍ଟ ଆଧାରିତ। ୟୁକ୍ରେନ୍‌ ଆକ୍ରମଣ ଆରମ୍ଭ କରିବା ସମୟରୁ ହିଁ ପୁଟିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ସମଗ୍ର ବିଶ୍ବର ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ସେ ସାଙ୍ଘାତିକ ଅସୁସ୍ଥ ବୋଲି ଗୁଜବ ଉଠିଛି।

ମଙ୍ଗଳବାର ଦିନ ‘ଫକ୍ସ୍‌ ନିଉଜ୍‌’ ରିପୋର୍ଟ କରିଥିଲା ଯେ, ପୁଟିନ୍‌ ବିଦେଶ ଗସ୍ତ କରିବା ବେଳେ ତାଙ୍କ ସହିତ ଯାଉଥିବା ଜଣେ ସ୍ବତନ୍ତ୍ର ସେବକ ତାଙ୍କର ମଳମୂତ୍ର ସାଥିରେ ଆଣି ମସ୍କୋରେ ଫିଙ୍ଗନ୍ତି। ବିଦେଶରେ କେହି ମଳମୂତ୍ର ପରୀକ୍ଷା କରି ପୁଟିନ୍‌ଙ୍କ ପ୍ରକୃତ ସ୍ବାସ୍ଥ୍ୟାବସ୍ଥା ଜାଣି ପକାଇବା ଆଶଙ୍କା ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥାଏ।

ପୁଟିନ୍‌ଙ୍କ ସହିତ ଘନିଷ୍ଠତା ଥିବା ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟବସାୟୀ ଗତ ମାସରେ କହିଥିଲେ କି, ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇ ପୁଟିନ୍‌ ଖୁବ୍‌ ଅସୁସ୍ଥ ହୋଇପଡ଼ିଛନ୍ତି।

କିନ୍ତୁ, ପୁଟିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାକୁ ରୁଷୀୟ ସରକାରୀ ଅଧିକାରୀମାନେ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର