ମସ୍କୋ: ମିଖାଇଲ୍ ଗୋର୍ବାଚେଭ୍ଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଯୋଗ ଦେବେ ନାହିଁ ବୋଲି ଆଜି କ୍ରେମ୍ଲିନ୍ କହିଛି।
ଏ ସଂକ୍ରାନ୍ତରେ ସୂଚନା ଦେଇ କ୍ରେମ୍ଲିନ୍ ମୁଖପାତ୍ର ଡିମିତ୍ରି ପେସ୍କୋଭ୍ କହିଛନ୍ତି, ଦୁଃଖର ବିଷୟ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେପ୍ଟେମ୍ବର ୩ରେ ହେବାକୁ ଥିବା ଗୋର୍ବାଚେଭ୍ଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ପୁଟିନ୍ ଯୋଗ ଦେଇ ପାରିବେ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋର୍ବାଚେଭ୍ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଆଜି ରୁଷୀୟ ରାଷ୍ଟ୍ରପତି ସେଣ୍ଟ୍ରାଲ୍ କ୍ଲିନିକାଲ୍ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି। ଗୋର୍ବାଚେଭ୍ଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ଲାଗି ଶନିବାର ଦିନ ସର୍ବସାଧାରଣଙ୍କ ନିମନ୍ତେ ବ୍ୟବସ୍ଥା କରାଯିବ। ପରେ ମସ୍କୋର ନୋଭୋଦେଭିକ୍ଚି ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
/sambad/media/post_attachments/wp-content/uploads/2022/09/gorbachev.jpg)
ଦୀର୍ଘ ଦିନ ଅସୁସ୍ଥ ହୋଇ ପଡ଼ି ରହିଥିବା ଗୋର୍ବାଚେଭ୍ଙ୍କର ମଙ୍ଗଳବାର ସନ୍ଧ୍ୟାବେଳେ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା। ଗୋର୍ବାଚେଭ୍ଙ୍କ ମୃତ୍ୟୁ ଯୋଗୁଁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍, ବିଦାୟୀ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏବଂ ୟୁରୋପୀୟ କମିସନ୍ ଅଧ୍ୟକ୍ଷ ଉର୍ସୁଲା ଭନ୍ ଦର୍ ଲିୟେନ୍ ମଧ୍ୟ ଶୋକବ୍ୟକ୍ତ କରିଥିଲେ।
ସୂଚନାଯୋଗ୍ୟ, ମିଖାଇଲ୍ ଗୋର୍ବାଚେଭ୍ ଥିଲେ ‘ୟୁନାଇଟେଡ୍ ୟୁନିୟନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ୍ ରିପବ୍ଲିକ୍’ (ୟୁଏସଏସ୍ଆର୍) ବା ସୋଭିଏତ୍ ଦେଶର ଶେଷ ନେତା। ସେ ନାଗରିକମାନଙ୍କୁ କେତେକ ସ୍ବାଧୀନତା ଦେଇ ଗଣତାନ୍ତ୍ରିକ ନୀତି ଅନୁଯାୟୀ ସେ କମ୍ୟୁନିଷ୍ଟ୍ ଶାସନରେ ସଂସ୍କାର ଆଣିବାକୁ ଚାହୁଁଥିଲେ।