ମସ୍କୋ: ରୁଷ୍‌ ୟୁକ୍ରେନ ଉପରେ ଏହାର ଆକ୍ରମଣକୁ ଜୋରଦାର କରିଛି। ଗତ ରାତିସାରା ରୁଷ୍‌ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି। ଶତାଧିକ ରକେଟ୍‌ ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍‌ କରି ରୁଷ୍‌ ରକେଟ୍‌ ମାଡ଼ କରିବା ଫଳରେ ଦେଶରେ ବିଦ୍ୟୁତ ସଙ୍କଟ ବଢ଼ିଯାଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଆଜି ସୋସିଆଲ ମିଡିଆରେ ବାର୍ତ୍ତା ରଖି କହିଛନ୍ତି, ଗତକାଲି ରାତିସାରା ଶତ୍ରୁପକ୍ଷ ରକେଟ୍‌ ମାଡ଼ କରିଥିଲା। ସେଥିରୁ ଅନେକ ରକେଟ୍‌କୁ ଆମେ ଖସାଇ ଦେଇଛୁ। ଜେଲେନସ୍କି କହ‌ିଛନ୍ତି, ରୁଷ୍‌ ୟୁକ୍ରେନର ଦକ୍ଷିଣ ଅଂଶ‌ରେ ଏକ ବଡ଼ ହାଇଡ୍ରୋଇଲେକଟ୍ରିକ୍‌ ଡ୍ୟାମ୍‌ ଉଡ଼ାଇଦେବାକୁ ପ୍ରସ୍ତୁତ ହେଉଛି। ରୁଷ୍‌ ଡ୍ୟାମ୍‌ ଉଡ଼ାଇଦେଲେ ୮୦ଟି ସହର ଏବଂ ଗାଁ ବୁଡ଼ିଯିବ। ଇତିମଧ୍ୟରେ ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ସୋଇଗୁ ଏବଂ ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ଆଜି ୟୁକ୍ରେନ ସ୍ଥିତି ନେଇ ଫୋନ୍‌ ଯୋଗେ କଥା ହୋଇଛନ୍ତି।