କିବ୍: ଦକ୍ଷିଣ ୟୁକ୍ରେନ୍ର ଖେରସନ୍ ପ୍ରଦେଶରେ ଖୁବ୍ ଶୀଘ୍ର ରୁଷ୍ର ଶାସନ ଲାଗୁ ହେବ। ଖେରସନରେ ଥିବା ରୁଷ୍ ନିଯୁକ୍ତ କର୍ତ୍ତୃପକ୍ଷମାନେ ଏନେଇ ଯୋଜନା ଘୋଷଣା କରିଛନ୍ତି। ରୁଷ୍ର ଆଞ୍ଚଳିକ ସାମରିକ ପ୍ରଶାସନ ଉପମୁଖ୍ୟ କହିଛନ୍ତି, ମେ’ ଶେଷ ସୁଦ୍ଧା ଏବ ବ୍ୟାଙ୍କ୍ ଟଙ୍କାକୁ ରୁଷ୍ ରୁବଲ୍ରେ ପରିଣତ କରିବାପାଇଁ କାମ କରିବ। ଏହା ବ୍ୟାଙ୍କ୍ ଅଫ୍ ରଷିଆରେ ପରିଣତ ହେବ। ତେବେ ପୂର୍ବ ଡୋନବାସ ଅଞ୍ଚଳ ପରି ଏଠାରେ କୌଣସି ଭିନ୍ନ ରିପବ୍ଲିକ୍ ସୃଷ୍ଟି କରିବାର ଯୋଜନା ନାହିଁ। ପ୍ରାୟ ୩ ଲକ୍ଷ ନାଗରିକ ବିଶିଷ୍ଟ ଖେରସନ୍ ସହର ଏବେ ରୁଷ୍ ନିୟନ୍ତ୍ରଣରେ ରହିଛି। ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିବାର ଗୋଟିଏ ସପ୍ତାହ ପରେ ତଥା ମାର୍ଚ୍ଚ ଆରମ୍ଭରେ ରୁଷ୍ ଖେରସନରେ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମ ପ୍ରମୁଖ ସହର ଭାବେ ଖେରସନ୍ ରୁଷ୍ ନିୟନ୍ତ୍ରଣକୁ ଆସିଥିଲା। ଖେରସନରେ ରୁଷ୍ ଅନେକ ପରିବର୍ତ୍ତନ ଆଣିଛି। ରୁଷ୍ ସାମରିକ କର୍ତ୍ତୃପକ୍ଷମାନେ ଖେରସନ୍ର ନିର୍ବାଚିତ ମେୟରଙ୍କୁ ତାଙ୍କ ପଦରୁ ହଟାଇଛନ୍ତି। ରୁଷ୍ ଦ୍ବାରା ଖେରସନ ପାଇଁ କିଛି କର୍ତ୍ତୃପକ୍ଷ ନିଯୁକ୍ତ ହୋଇଛନ୍ତି। ଇତି ମଧ୍ୟରେ ଫିନଲାଣ୍ଡ ନାଟୋରେ ଯୋଗ ଦେବାପାଇଁ ଚାହିଛି। ରୁଷ୍ ଦ୍ବାରା ୟୁକ୍ରେନ୍ ଆକ୍ରମଣରେ ଚିନ୍ତା ପ୍ରକଟ କରି ଫିନଲାଣ୍ଡ୍ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଅବିଳମ୍ବେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ରୁଷ୍ ଏନେଇ ଫିନଲାଣ୍ଡ୍କୁ ଚେତାବନୀ ଦେଇଛି।
ଫିନଲାଣ୍ଡ୍ ନାଟୋରେ ଯୋଗ ଦେଲେ ଏହା ରୁଷ୍ ପାଇଁ ବିପଦ ସୃଷ୍ଟି କରିବ। ରୁଷ୍ ନିଜର ସୁରକ୍ଷା ସହିତ କୌଣସି ସାଲିସ୍ କରିବ ନାହିଁ ଫିନଲାଣ୍ଡ୍କୁ ଏଥିପାଇଁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ୍ କହିଛି। ଅନ୍ୟପକ୍ଷେ ଉତ୍ତର ୟୁକ୍ରେନ୍ରେ ରୁଷ୍ର ଭୟଙ୍କର ଆକ୍ରମଣ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଉତ୍ତର ୟୁକ୍ରେନର ଚେର୍ନିହିବରେ ରୁଷ୍ର ବିମାନ ଆକ୍ରମଣ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍ର ଦକ୍ଷିଣ ସୀମାଠାରୁ ଏହି ସହର ମାତ୍ର ୪୫ କିମି ଦୂର। ରୁଷ୍ ଚେର୍ନିହିବର ୨ଟି ଗୋଳାବାରୁଦ ଡିପୋ ଉପରେ ଆକ୍ରମଣ କରିଥିବା କହିଛି। ଖାରକିଭରେ ରୁଷ୍ ୟୁକ୍ରେନର ଏକ ଏସ୍-୩୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍ ଏବଂ ଓଡ଼େଶା ନିକଟରେ ଏକ ରାଡାର ଷ୍ଟେସନ୍ ଧ୍ବଂସ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-5-1.jpg)