ନୂଆଦିଲ୍ଲୀ: ଦୁନିଆରେ ଆଜିକାଲି ବିଭିନ୍ନ ପ୍ରକାରର ଅଜବ ଜିନିଷ ଦେଖିବାକୁ ମିଳୁଛି। ନିକଟରେ ଜଣେ ବିବାଦୀୟ ଋଷୀୟ ବୈଜ୍ଞାନିକ ଦାବି କରିଛନ୍ତି ଯେ ସେ ନିଜ ମସ୍ତିଷ୍କର ଅସ୍ତ୍ରୋପଚାର ନିଜେ କରିଛନ୍ତି । ସେ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ମସ୍ତିଷ୍କରେ ଏକ ଇଲେକ୍ଟ୍ରୋଡ୍ ଇଂପ୍ଲାଣ୍ଟ କରିଛନ୍ତି ବା କହିପାରନ୍ତି ଯେ ଏକ ଭିନ୍ନ ରକମର ଚିପ୍ ଖଞ୍ଜିଛନ୍ତି। ଏହି ବୈଜ୍ଞାନିକଙ୍କ ନାମ ମାଇକଲ୍ ରାଦୁଗା।
ସେ ଜଣେ ଋଷୀୟ ଗବେଷକ। ତାଙ୍କ ନିକଟରେ ନ୍ୟୁରୋ ସର୍ଜରିର ଡିଗ୍ରି ନାହିଁ। ଜାଣିବାକୁ ମିଳିଛି ଯେ ସେ ନିଜ ଘରେ ରହି ହିଁ ନିଜର ଅସ୍ତ୍ରୋପଚାର କରିଛନ୍ତି। ଏହି ସମୟରେ ତାଙ୍କ ଶରୀରକୁ ଏକ ଲିଟର୍ ରକ୍ତ ବୋହି ଯାଇଥିବା ସୂଚନା ରହିଛି। ଗବେଷକଙ୍କୁ ନିଜ ମସ୍ତିଷ୍କର ଲ୍ୟୁସିଡ୍ ଡ୍ରିମ୍କୁ ନିୟନ୍ତ୍ରଣ କରିବାର ଥିଲା। ଲ୍ୟୁସିଡ୍ ଡ୍ରିମ୍ ଏକ ଏପରି ସ୍ବପ୍ନ ପ୍ରକ୍ରିୟା, ଯାହାକୁ ଦେଖିବା ବେଳେ ବ୍ୟକ୍ତିକୁ ଜଣାପଡ଼େ ଯେ ସେ ସ୍ବପ୍ନ ଦେଖୁଛି ବୋଲି। ନିଜ ସ୍ପପ୍ନ ଉପରେ ନିୟନ୍ତ୍ରଣ ରଖିବାକୁ ଗବେଷକ ଦୀର୍ଘ ୧୦ ବର୍ଷରୁ ଊର୍ଧ୍ବ ସମୟ ଧରି ଗବେଷଣା କରୁଥିଲେ। ଏବେ ଶେଷରେ ନିଜ ମୁଣ୍ଡରେ ଇଲେକ୍ଟ୍ରୋଡ୍ ଇଂପ୍ଲାଣ୍ଟ କରି ତାହାକୁ ହାସଲ କରିପାରିଛନ୍ତି ବୋଲି ତାଙ୍କର ଦାବି।
ସେ ତାଙ୍କ ମୁଣ୍ଡରେ ଚିପ୍ ଖଞ୍ଜିବା ପାଇଁ ହାର୍ଡୱେୟାର୍ ଷ୍ଟୋର୍ରେ ମିଳୁଥିବା ଡ୍ରିଲିଂ ମେସିନ୍ର ବ୍ୟବହାର କରିଥିଲେ। ଏହି ସଫଳତା ପରେ ସେ ଏକ ସାକ୍ଷାତ୍କାରରେ କହିଛନ୍ତି, ‘‘ମୁଁ ଖୁସି ଯେ ବଞ୍ଚିଗଲି, କିନ୍ତୁ ମୁଁ ମରିବାକୁ ପ୍ରସ୍ତୁତ ଥିଲି।’’
ଡେଲି ମେଲ୍ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ମାଇକଲ୍ ରାଦୁଗା ବୃତ୍ତିରେ ଡାକ୍ତର ନୁହନ୍ତି। ମାତ୍ର ସେ ‘ଫେଜ୍ ରିସର୍ଚ ସେଣ୍ଟର୍’ର ନିର୍ମାତା। ତାଙ୍କ ସଂଗଠନ ଦାବି କରେ ଯେ ସେ ବ୍ୟକ୍ତିକୁ ସ୍ଲିପ୍ ପାରାଲିସିସ୍ ସଂପର୍କରେ ମାର୍ଗଦର୍ଶାଇ ପାରନ୍ତି। ତାଙ୍କର ଋଷ୍ରେ ଅନେକ ଫଲୋୟର୍ସ ଅଛନ୍ତି।
ତାଙ୍କ ବିଭିନ୍ନ ଆଡୁ ବିରୋଧ ବି ହେଉଛି। ନ୍ୟୁରୋ ସର୍ଜନମାନେ ସେ ବହୁତ ବିପଜ୍ଜନକ କାମ କରୁଛନ୍ତି ବୋଲି କହି ଚେତାବନୀ ଦେଉଛନ୍ତି। ଅକ୍ସଫୋର୍ଡ ୟୁନିଭରସିଟିର ଜଣେ ନ୍ୟୁରୋ ସର୍ଜନ ଏପରି କାମକୁ ବାରଣ କରିଛନ୍ତି।