ନୂଆଦିଲ୍ଲୀ: ୟୁକ୍ରେନୀୟ ବନ୍ଦର ନଗରୀ ଖେର୍ସନ୍ରେ ଥିବା ଅନାଥାଳୟଗୁଡ଼ିକରୁ ରୁଷୀୟ ସୈନିକମାନେ ପିଲା ଚୋରାଇ ନେଉଥିବା କଥା ‘ସ୍କାଏ ନିଉଜ୍’ ରିପୋର୍ଟ କରିଛି।
ୟୁକ୍ରେନୀୟ ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଖେର୍ସନ୍ ନଗରୀରେ ଜନସ୍ଥାନାନ୍ତରଣ କରିବା ବେଳେ ରୁଷୀୟ ସେନା ୯୭ଜଣ ଅନାଥଙ୍କୁ ଅପହରଣ କରି ନେଇଛନ୍ତି। ପିଲା ଅପହରଣ ହେଉଛି ଯୁଦ୍ଧ ନିମୟର ସାଙ୍ଘାତିକ ଉଲ୍ଲଂଘନ।
ଖେର୍ସନ୍ ନଗରୀ ବାହାରେ ଅବସ୍ଥିତ ଷ୍ଟେପାନିଭ୍କା ଗ୍ରାମରେ ଥିବା ଅନାଥାଳୟର ନିର୍ଦେଶକ ଭୋଲୋଦିମିର୍ ସାହାଇଦାକ୍ ‘ସ୍କାଏ ନିଉଜ୍’କୁ କହିଛନ୍ତି, ରୁଷୀୟ ସେନାଙ୍କ ଅଧିକୃତ ଅଞ୍ଚଳରେ ପିଲାମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା କଥା ସେ ଜାଣିଥିଲେ। ୨୦୧୪ରେ ଡନ୍ବାସ ଅଞ୍ଚଳରେ ଗୃହଯୁଦ୍ଧ ଲାଗିବା ବେଳେ ରୁଷୀୟ ସୈନିକମାନେ ଅନାଥମାନଙ୍କର ଯାହା ଅବସ୍ଥା କରିଥିଲେ ସେ ଦେଖିଥିଲେ। ସେଥିପାଇଁ, ସେ ପିଲାମାନଙ୍କୁ ସେଠାରେ ଲୁଚାଇ ରଖିଥିଲେ।
/sambad/media/post_attachments/wp-content/uploads/2022/12/ukrc.jpg)
‘ସ୍କାଏ ନିଉଜ୍’ ପ୍ରସାରଣ କରିଥିବା ଭିଡିଓ କ୍ଲିପ୍ରେ ଦେଖାଯାଉଛି ଯେ, ପିଲାମାନଙ୍କୁ ଖୋଜିବା ପାଇଁ ରୁଷୀୟମାନେ ଅନାଥାଳୟରେ ପହଞ୍ଚୁଛନ୍ତି। ବନ୍ଧୁକଧାରୀ ରୁଷୀୟ ସୈନିକମାନଙ୍କର ନେତୃତ୍ବ ନେଇଛନ୍ତି ରୁଷ୍ର ସିକ୍ରେଟ୍ ପୁଲିସ ‘ଦି ଏଫ୍ଏସ୍ବି’ର ଏଜେଣ୍ଟ୍ମାନେ।
କିନ୍ତୁ, ପିଲାମାନେ କୁଆଡ଼େ ଗଲେ ଜାଣି ନ ପାରିବାରୁ ସେମାନେ ସେଠାରୁ ଫାଇଲ୍, କମ୍ପ୍ୟୁଟର୍, ସିସିଟିଭି ସିଷ୍ଟମ୍ ଆଦି ନେଇ ପଳାଉଛନ୍ତି। କାରଣ, ପିଲାମାନେ କୁଆଡ଼େ ଗଲେ ଜାଣିବା ପାଇଁ ସେ ଏ ସବୁ ଯାଞ୍ଚ କରିବେ ବୋଲି ଭୋଲୋଦିମିର୍ ସାହାଇଦାକ୍ କହିଛନ୍ତି।
ପ୍ରକୃତ କଥା ହେଲା, ଅନାଥ ପିଲାମାନଙ୍କୁ ସୁରକ୍ଷା ଦେବା ଲାଗି ସମଗ୍ର ଗାଁ ଏକତ୍ର ହୋଇଗଲେ। ପରିବାର ପିଛା ୩ରୁ ୪ଜଣ ପିଲାଙ୍କୁ ନେଇ ଘରେ ରଖିଲେ। ଫଳରେ ରୁଷୀୟ ସୈନିକମାନେ ସେମାନଙ୍କର ପତ୍ତା ପାଇଲେ ନାହିଁ।