ୟୁକ୍ରେନ ସଂକଟର ସମାଧାନ ଆଶା : ବାରାକକୁ ଫେରିବା ଆରମ୍ଭ କଲେ ଋଷୀୟ ସେନା

ମସ୍କୋ : ୟୁକ୍ରେନକୁ ଯୁଦ୍ଧ ଆଶଙ୍କା ମଧ୍ୟରେ ଏକ ଆଶାଜନକ ଖବର ମିଳିଛି । ୟୁକ୍ରେନ ସୀମାରେ ମୁତୟନ ହୋଇଥିବା କିଛି ଋଷୀୟ ସୈନ୍ୟ ନିଜ ନିଜ ବାରାକକୁ ଫେରିବା ଆରମ୍ଭ କରିଛନ୍ତି । ଏ ନେଇ ଖୋଦ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି ।

ଋଷୀୟ ପ୍ରତିରକ୍ଷା ମନ୍ତ୍ରାଳୟକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥା ଇଣ୍ଟରଫାକ୍ସ କହିଛି ଯେ, ୟୁକ୍ରେନ ସୀମାକୁ ଲାଗିଥିବା ଋଷୀୟ ମିଲିଟାରୀ ଡିଷ୍ଟ୍ରିକ୍ଟର ସୈନ୍ୟମାନେ ନିଜ ନିଜ ବାରାକକୁ ଫେରିଛନ୍ତି । ସେମାନେ ନିଜର ସମରାଭ୍ୟାସ ଶେଷ କରି ଫେରୁଥିବା କୁହାଯାଉଛି । ତେବେ ୟୁକ୍ରେନ ସୀମାରେ ଏବେ ବି ୧ ଲକ୍ଷରୁ ଅଧିକ ଋଷ ସୈନ୍ୟ ଅଛନ୍ତି ।

ଋଷିଆର ଏହି ଘୋଷଣା ପରେ ପୂର୍ବ ୟୁରୋପରେ ହେବାକୁ ଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଏଡ଼ାଇବାକୁ ଚାଲିଥିବା କୂଟନୈତିକ ଉଦ୍ୟମ ସଫଳ ହେଉଥିବା କୁହାଯାଉଛି । ଜର୍ମାନ ଚ୍ୟାନସେଲର ଓଲାଫ ସ୍କୋଲଜ୍ ଆଜି ମସ୍କୋରେ ପହଞ୍ଚିଛନ୍ତି । ଯୁଦ୍ଧ ଏଡ଼େଇବାକୁ ସେ ପୁଟିନଙ୍କୁ ସାକ୍ଷାତ କରି ପ୍ରବର୍ତ୍ତାଇବାର ସମ୍ଭାବନା ରହିଛି ।

ସେ କହିଛନ୍ତି ଯେ ଋଷିଆର ସୁରକ୍ଷା ଚିନ୍ତାଗୁଡ଼ିକ ସମ୍ପର୍କରେ ଆଲୋଚନା ପାଇଁ ପାଶ୍ଚାତ୍ୟ ଦେଶମାନେ ରାଜି ଅଛନ୍ତି । କିନ୍ତୁ ଏହା ସତ୍ତ୍ବେ ଯଦି ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ମସ୍କୋ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ । ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବି ଋଷିଆକୁ କଟକଣା ଧମକ ଦେଇସାରିଛନ୍ତି ।

ସମ୍ବନ୍ଧିତ ଖବର