ଆଣବିକ ସମରାଭ୍ୟାସ ଆରମ୍ଭ କଲା ରୁଷ୍, ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ

ମସ୍କୋ : ପୂର୍ବ ଘୋଷଣା ଅନୁସାରେ ରୁଷ ପକ୍ଷରୁ ନିଜର ଆଣବିକ ସମରାଭ୍ୟାସ ଆରମ୍ଭ କରାଯାଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ଷ୍ଟ୍ରାଟର୍ଜିକ୍ ନ୍ୟୁକ୍ଲିୟର ଫୋର୍ସ (ପରମାଣୁ ଆକ୍ରମଣର ମୁକାବିଲା ପାଇଁ ଗଠିତ ବାହିନୀ) ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି ।

ଏହି ସମରାଭ୍ୟାସର ଏକ ଅଂଶସ୍ବରୂପ ଏକ ଦୂରଗାମୀ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ କରାଯାଇଛି । ଏହା ସହିତ କେତେକ କ୍ରୁଜ୍ ମିସାଇଲର ପରୀକ୍ଷଣ କରାଯାଇଛି ।

ଏହି ସମରାଭ୍ଯାସ ସଂପର୍କରେ ରୁଷ ପକ୍ଷରୁ କୁହାଯାଇଛି ଯେ ଷ୍ଟ୍ରାଟର୍ଜିକ ଫୋର୍ସ ଅଧିନସ୍ଥ ଆକାଶ, ଭୂମି ଓ ନୌ ବାହିନୀ ପକ୍ଷରୁ ପରମାଣୁ ଆକ୍ରମଣର ମୁକାବିଲା ପାଇଁ ଅଭ୍ୟାସ କରାଯାଇଛି । ରାଷ୍ଟ୍ରପତି ପୁଟିନ ଏକ କଣ୍ଟ୍ରୋଲ ରୁମରୁ ଏହି ସମରାଭ୍ୟାସ ଦେଖିଥିଲେ ।

ଗତ ମଙ୍ଗଳବାରଦିନ ରୁଷ ପକ୍ଷରୁ ଜାତିସଂଘରେ କୁହାଯାଇଥିଲା ଯେ ଏକ ଡାର୍ଟି ବମ୍ ପ୍ରୟୋଗ କରିବାକୁ ୟୁ୍କ୍ରେନ ଯୋଜନା କରୁଛି । ଏ ସଂପର୍କରେ ରୁଷ ପକ୍ଷରୁ ଭାରତ ଓ ଚୀନକୁ ବି ଅବଗତ କରାଯାଇଛି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଏ ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଫୋନ କରି ରୁଷର ଚିନ୍ତା ସମ୍ପର୍କରେ ଅବଗତ କରାଇଛନ୍ତି  । ସେହିପରି ଚୀନର ପ୍ରତିରକ୍ଷା ମନ୍ତ୍ରୀ ଓ ନାଟୋକୁ ବି ରୁଷ ନିଜର ଚିନ୍ତା ଜଣାଇଦେଇଛି ।

କିନ୍ତୁ ୟୁକ୍ରେନ ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ରୁଷର ଏହି ଦାବିକୁ ଖାରଜ କରିଦେଇଛନ୍ତି । ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଛନ୍ତି ଯେ ରୁଷର ଏହି ଅଭିଯୋଗରୁ ମନେହେଉଛି ରୁଷ ନିଜେ ଏପରି ଏକ ବୋମା ପ୍ରୟୋଗ କରିବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ଆଧୁନିକ ସାମରିକ ଭାଷାରେ ଡାର୍ଟି ବମର ଅର୍ଥ ହେଉଛି ତେଜସ୍କ୍ରିୟ ସାମଗ୍ରୀ ବହନ କରୁଥିବା ଏକ ପାରମ୍ପରିକ ବୋମା ।

 

ସମ୍ବନ୍ଧିତ ଖବର