ୟୁକ୍ରେନର ଭିନିସିଆ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ, ୨୦ ମୃତ

କିବ୍ : ମଧ୍ୟ ୟୁକ୍ରେନର ଭିନିସିଆ ସହର ଉପରେ ରୁଷ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହା ଫଳରେ ୨୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୯୦ ଜଣ ଲୋକ ଆହତ ହୋଇଛନ୍ତି ।

ୟୁକ୍ରେନ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କିବଠାରୁ ୨୬୮ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ଭିନିସିଆ ସହରର ଆବାସିକ ଅଂଚଳରେ ରୁଷର ୩ଟି କ୍ଷେପଣାସ୍ତ୍ର ପଡ଼ିଥିଲା । ଏହା ଫଳରେ ଗୋଟିଏ ସରକାରୀ ଅଫିସ ଓ କେତେକ ଘର ଧ୍ବଂସପାଇଯାଇଛି ।

ସେହିପରି ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ବ୍ଲାକ ସି ବା କୃଷ୍ଣ ସାଗରରେ ଥିବା ରୁଷର ବୁଡ଼ାଜାହାଜରୁ ରୁଷ ପକ୍ଷରୁ ୩ଟି କାଲିବର କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ମାଡ ଫଳରେ ଗୋଟିଏ ଅଫିସ ସଂପୂର୍ଣ୍ଣ ଧୂଳସାତ ହୋଇଯାଇଥିବାବେଳେ ଅଫିସ ଆଗ ପାର୍କିଂରେ ଥିବା ପ୍ରାୟ ୫୦ଟି କାରରେ ନିଆଁ ଲାଗିଯାଇଥିଲା । ଫଳରେ ୨୦ ଜଣେ ଲୋକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବାବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି । ଆହୁରି କିଛି ଲୋକ ନିଖୋଜ ରହିଛନ୍ତି । ତେବେ ରୁଷ ପକ୍ଷରୁ ଏହି ଆକ୍ରମଣ ସଂପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ ।

ସମ୍ବନ୍ଧିତ ଖବର