ଋଷିଆର ସବୁଠୁ ଆଧୁନିକ ଲଢୁଆ ବିମାନ ଏସୟୁ-୫୭ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍‌

ମସ୍କୋ : ଋଷିଆର ସବୁଠୁ ଆଧୁନିକ ଯୁଦ୍ଧ ବିମାନ ଏସୟୁ-୫୭ ଦୁର୍ଘଟଣାଗ୍ରସ୍ତ  ହୋଇଛି । ଏହି ଦୁର୍ଘଟଣା ଋଷିଆର ପୂର୍ବାଞ୍ଚଳରେ ଥିବା କୋମସୋକୋସକ ସହର ନିକଟରେ ହୋଇଛି । ବିମାନଟି ଆକାଶରେ ଥିବା ବେଳେ ଏହାର ଇଂଜିନରେ ତ୍ରୁଟି ଯୋଗୁଁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣ ହେବା ପୂର୍ବରୁ ବିମାନର ପାଇଲଟ ସୁରକ୍ଷିତଭାବେ କକ୍‌ପିଟରୁ ବାହରି ଯାଇଥିଲେ । ଋଷିଆର ଏକ ଏମ୍‌ଆଇ-୮ ହେଲିକାପ୍ଟର ତାଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ବିମାନଟି ଏକ ସାମରିକ ବିମାନ ନଥିଲା ଓ ଏହାର ପରୀକ୍ଷାମୂଳକ ଉଡ଼ାଣ ଚାଲିଥିଲା ବୋଲି ଜଣାପଡ଼ିଛି ।

ଏସୟୁ-୫୭ ବା ସୁଖୋଇ-୫୭ ହେଉଛି ୫ମ ପିଢିର ଲଢୁଆ ବିମାନ । ଏହି ବିମାନ ଏପର୍ଯ୍ୟନ୍ତ ଋଷିଆର ବାୟୁସେନାରେ ସାମିଲ ହୋଇନଥିଲେ ମଧ୍ୟ ଏହା ହେଉଛି ମସ୍କୋର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲଢୁଆ ବିମାନ ପ୍ରକଳ୍ପ । ଏଣୁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ମସ୍କୋକୁ ଚିନ୍ତାରେ ପକାଇଦେଇଛି ।
ଏହି ବିମାନର ଦକ୍ଷତା ଗତ ଅଗଷ୍ଟ ମାସରେ ଋଷିଆ ମାକ୍ସ-୨୦୧୯ ଏୟାରଶୋ’ ବେଳେ ପ୍ରଦର୍ଶନ କରିଥିଲା । ଏହା ବର୍ତ୍ତମାନ ବିଶ୍ୱର ସବୁଠୁ ଲଢୁଆ ଓ ଦକ୍ଷ ଯୁଦ୍ଧବିମାନ ବୋଲି ମସ୍କୋ ଦାବି କରୁଛି । ଗତ ଅକ୍ଟୋବରମାସରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିିଥିଲେ ଯେ ଏହି ବିମାନର ଏକ ରପ୍ତାନି ସଂସ୍କରଣ ତିଆରି କରାଯାଉଛି । ଏହି ଲଢୁଆ ବିମାନକୁ ନିର୍ମାଣ କରୁଛି ଋଷିଆର ରାଷ୍ଟ୍ରାୟତ କମ୍ପାନି ରୋସଟେକ ଷ୍ଟେଟ୍‌ କର୍ପୋରେସନ ।

ସମ୍ବନ୍ଧିତ ଖବର