ୟୁକ୍ରେନ ଉପରେ ଯୁଦ୍ଧର କଳାବାଦଲ, କୃଷ୍ଣ ସାଗରରେ ବଡ଼ ସମରାଭ୍ୟାସ ଆରମ୍ଭ କଲା ଋଷିଆ

ମସ୍କୋ : ବିଶ୍ବ ସମୁଦାୟର ଉଦ୍ୟମ ସତ୍ତ୍ବେ ୟୁକ୍ରେନ ସଂକଟ ଜାରି ରହିଛି । ଋଷିଆ ସେନା ଗୋଟିଏ ପଟେ ବେଲାଋଷରେ ସମରାଭ୍ୟାସ ଜାରି ରଖିଥିବାବେଳେ ଏବେ କୃଷ୍ଣ ସାଗର ଅଞ୍ଚଳରେ ଏକ ନୂଆ ସମରାଭ୍ୟାସ ଆରମ୍ଭ କରିଛି । ଏହା ଦ୍ବାରା ଋଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ଆମେରିକାକୁ ସୂଚାଇ ଦେଇଛି ।

ଋଷିଆର ସମ୍ବାଦ ଓ୍ବେବସାଇଟ୍ ସ୍ପୁଟନିକରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ନୌସମରାଭ୍ୟାସରେ ୩୦ରୁ ଅଧିକ ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିଛନ୍ତି । କ୍ରମିଆକୁ ସୁରକ୍ଷା ଦେବା ପାଇଁ ଏହି ନୌସମରାଭ୍ୟାସ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଋଷୀୟ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ଏହି ଓ୍ବେବସାଇଟରେ କୁହାଯାଇଛି ଯେ ଏହି ନୌସମରାଭ୍ୟାସର ଯୋଜନା ଗତ ମାସରେ କରାଯାଇଥିଲା ।

ବିଶେଷଜ୍ଞମାନଙ୍କ ମତରେ ଏସବୁ ସମରାଭ୍ୟାସ କରି ଋଷିଆ ଆମେରିକା ଓ ୟୁରୋପକୁ ଏକ ବାର୍ତ୍ତା ଦେବାକୁ ଚାହିଁଛି । ତାହା ହେଉଛି ଯେ, ଋଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ । ବେଲାଋଷ ଉଭୟ ଋଷିଆ ଓ ୟୁକ୍ରେନର ପଡ଼ୋଶୀ ହୋଇଥିବାବେଳେ ଏହା ୟୁକ୍ରେନର ଉତ୍ତର ଦିଗରେ ରହିଛି । ଉତ୍ତର ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ସକ୍ଷମ ବୋଲି ମସ୍କୋ ଚେତାଇ ଦେଇଛି । ସେହିପରି କୃଷ୍ଣ ସାଗର ବା ବ୍ଲାକ ସି ୟୁକ୍ରେନର ଦକ୍ଷିଣରେ ରହିଛି । ଏଣୁ ଦକ୍ଷିଣ ଦିଗରୁ ବି ଆକ୍ରମଣ କରାଯିବ ବୋଲି ଋଷିଆ ସୂଚାଇ ଦେଇଛି ।

 

ସମ୍ବନ୍ଧିତ ଖବର