ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ କୃଷ୍ଣଙ୍କ ନଗରୀ ବୃନ୍ଦାବନରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରେମକାହାଣୀ ସାମ୍ନାକୁ ଆସିଛି। ଏହି ପ୍ରେମକାହାଣୀ ଏବେ ଚର୍ଚ୍ଚାରେ ରହିଛି। ବୃନ୍ଦାବନକୁ ବୁଲିବାକୁ ଆସିଥିବା ଜଣେ ଋଷିଆ ଯୁବତୀ ଜଣେ ଗୋପାଳକଙ୍କ ପ୍ରେମରେ ପଡ଼ି ବିବାହ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୂଳତଃ ଋଷରେ ରହୁଥିବା ୩୬ବର୍ଷୀୟ ମହିଳା ୟୁନା ଭଗବାନ କୃଷ୍ଣଙ୍କ ଭକ୍ତିରେ ଆକର୍ଷିତ ହୋଇ ବୃନ୍ଦାବନ ଚାଲି ଆସିଥିଲେ। ଏଠାରେ ତାଙ୍କର ଜଣେ ଗୋପାଳକଙ୍କ ସହିତ ଭେଟ ହୋଇଥିଲା। ଗୋପାଳକଙ୍କ ନାମ ରାଜକରଣ ବୋଲି ଜଣାପଡ଼ିଛି। ୩୫ବର୍ଷୀୟ ରାଜକରଣ ଦୁଇଦଶକ ହେବ ବୃନ୍ଦାବନରେ ରହି ଗୋରୁଙ୍କ ସେବା କରି ଆସୁଛନ୍ତି।
ବୃନ୍ଦାବନରେ ପହଞ୍ଚିବା ପରେ ରାଜକରଣଙ୍କ ସହିତ ମିଶି ୟୁନା ବି ଗୋରୁ ସେବା ଆରମ୍ଭ କରିଥିଲେ। ଏହାରି ଭିତରେ ଦୁହେଁ ପରସ୍ପରକୁ ଭଲ ପାଇଯାଇଥିଲେ। ଆଉ ପରବର୍ତ୍ତୀ ସମୟରେ ବିବାହ କରି ସାରଜୀବନ ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ରାଜକରଣ ଓ ୟୁନା ୨୦୨୩ ଏପ୍ରିଲ ମାସରେ ଦିଲ୍ଲୀସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲେ। ସେବେଠାରୁ ଦୁହେଁ ଏକାଠି ମିଶି ଗୋରୁ ସେବା କରି ଆସୁଛନ୍ତି। ଏଥିସହିତ ସନ୍ଧ୍ୟା ହେଲେ ଦୁହେଁ ବୃନ୍ଦାବନର ଇସ୍କନ ମନ୍ଦିରକୁ ଯାଇ ଲୋକଙ୍କୁ ଖାଇବାକୁ ଦେବା ସହ ଧାର୍ମିକ ପୁସ୍ତକ ଓ ଚନ୍ଦନ ବାଣ୍ଟି ଥାଆନ୍ତି।
ରାଜକରଣଙ୍କ କୌଣସି ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ସେ ହିନ୍ଦୀ ଭାଷା ବି ଠିକ ଭାବେ କହି ପାରନ୍ତି ନାହିଁ। ଏହା ସତ୍ତ୍ବେ ବି ୟୁନା ଉକ୍ତ ଗୋପାଳକଙ୍କ ପ୍ରେମରେ ପଡ଼ି ବିବାହ କରି ହିନ୍ଦୁଘରର ବୋହୂ ପରି ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ପକାଇ ରହୁଛନ୍ତି।