ମସ୍କୋ: ନିଜ ନିଜର ଦାମିକା ‘ଚାନେଲ୍ ବ୍ୟାଗ୍’ ସବୁ କାଟି ପକାଇ କେତେକ ବିତ୍ତଶାଳୀ ରୁଷୀୟ ମହିଳା ଉକ୍ତ ବ୍ୟାଗ୍ ନିର୍ମାଣ କରୁଥିବା କମ୍ପାନି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ‘ୟୁରୋପୀୟ ସଂଘ’ କଟକଣା ପ୍ରତି ସମର୍ଥନ ଜଣାଇ ରୁଷ୍ରେ ‘ଚାନେଲ୍ ବ୍ୟାଗ୍’ ଷ୍ଟୋର୍ ବନ୍ଦ କରିବା ସହ ଖରିଦ ଉପରେ କମ୍ପାନି ପ୍ରତିବନ୍ଧକ ଲଗାଇଛି।
କମ୍ପାନିର ଏଭଳି ପଦକ୍ଷେପକୁ ‘ରୁଷୋଫୋବିୟା’ କହି ରୁଷୀୟ ମଡେଲ୍, ଟେଲିଭିଜନ ଉପସ୍ଥାପିକା ଏବଂ ଡିସ୍କୋ ଜକିମାନେ କଇଞ୍ଚିରେ ସେମାନଙ୍କର ‘ଚାନେଲ୍ ବ୍ୟାଗ୍’ଗୁଡ଼ିକୁ କାଟି ଖଣ୍ଡ ଖଣ୍ଡ କରୁଥିବାର ଦୃଶ୍ୟ ଥିବା ଭିଡିଓ ସବୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି।
Image Courtesy of Mail Onlineରୁଷ୍ରେ ‘ଚାନେଲ୍ ବ୍ୟାଗ୍’ ବିକ୍ରି ନିଷେଦ୍ଧାଜ୍ଞାକୁ ନିଜ ମାତୃଭୂମି ପ୍ରତି ଅବମାନନା ବିଚାରି ଉପରୋକ୍ତ ମହିଳାମାନେ ଏଭଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କିନ୍ତୁ, ସେମାନଙ୍କ ମଧ୍ୟରୁ କୌଣସି ସେଲିବ୍ରେଟି ରୁଷୀୟ ଆକ୍ରମଣ ଯୋଗୁଁ ବାସହରା ହୋଇଥିବା ଲକ୍ଷ ଲକ୍ଷ ଜନସାଧାରଣଙ୍କ କିଂବା ମୃତାହତଙ୍କ ପ୍ରତି କୌଣସି ଦରଦ ଦେଖାଉ ନାହାନ୍ତି ବୋଲି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନଙ୍କ ମନ୍ତବ୍ୟରୁ ଜଣାପଡ଼ିଛି।
ମସ୍କୋ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ରୀ ମାରିଆ ଜାଖରୋଭା ଅଭିଯୋଗ କରିଛନ୍ତି ଯେ, ‘ଚାନେଲ୍’ ‘ଦି ରୁଷୋଫୋବିକ୍ କ୍ୟାମ୍ପେନ୍ ଟୁ ‘କ୍ୟାନ୍ସେଲ୍ ରଷା’ରେ ଯୋଗ ଦେଇଛି। ସେ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ‘କୋକୋ ଚାନେଲ୍’ ନିଜେ ‘ଥାର୍ଡ ରିଚ୍’ର (ନାଜି) ସହଯୋଗୀ ଓ ଏଜେଣ୍ଟ୍ ଥିଲା। ୟୁକ୍ରେନ୍ରୁ ଫାଶୀବାଦ ହଟାଇବା ପାଇଁ ରୁଷ୍ ସେତେବେଳେ ଅଭିଯାନ ଚଳାଇଥିଲା।
ତେଣେ, ଫ୍ରାନ୍ସ୍ସ୍ଥିତ ‘ଚାନେଲ୍’ର ମୁଖ୍ୟାଳୟ କହିଛି ଯେ, ସୌଖୀନ୍ ସାମଗ୍ରୀ ଉପରେ ‘ୟୁରୋପୀୟ ସଂଘ’ ଏବଂ ‘ସୁଇସ୍ କଟକଣା’ ଯୋଗୁଁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/chanel.jpg)