ମସ୍କୋ: ୟୁକ୍ରେନ୍କୁ ପାଶ୍ଚାତ୍ୟ ରାଷ୍ଟ୍ରର ଅସ୍ତ୍ର ଯୋଗାଣ ବଢ଼ିବା ପରେ ରୁଷ୍ ଏବେ ପାଶ୍ଚାତ୍ୟ ରାଷ୍ଟ୍ରର ଅସ୍ତ୍ରକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛି। ଦକ୍ଷିଣ ପୂର୍ବ ୟୁକ୍ରେନ୍ରେ ରୁଷ୍ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରି ପାଶ୍ଚାତ୍ୟ ରାଷ୍ଟ୍ର ଯୋଗାଇଥିବା ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଧ୍ବଂସ କରିଦେଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ଏହା କୁହାଯାଇଛି। ଜାପୋରିଝିଆ ପରିସରରେ ରୁଷ୍ର କାଲିବର କ୍ଷେପଣାସ୍ତ୍ର ମାଡ଼ରେ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ର ଯୋଗାଇଥିବା ଅସ୍ତ୍ର ଏବଂ ଗୋଳାବାରୁଦ ଧ୍ବଂସ ହୋଇଯାଇଥିବା ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ କେଉଁ ପ୍ରକାରର ଅସ୍ତ୍ର ଧ୍ବଂସ ହୋଇଛି ତାହା ରୁଷ୍ ସ୍ପଷ୍ଟ କରିନି। ଅନ୍ୟପକ୍ଷେ ରୁଷ୍ ରାତିକରେ ୟୁକ୍ରେନ୍ର ୫୯ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଥିବା କହିଛି। ରୁଷ୍ ବାୟୁସେନା ଗୋଟିଏ ରାତିରେ ୫୯ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ରୁଷ୍ର ଏକ ଅସ୍ତ୍ର ଡିପୋରେ ଆଜି ଅଗ୍ନିକାଣ୍ଡ ହୋଇଛି। ୟୁକ୍ରେନ୍ ସୀମାଠାରୁ ଏହା ମାତ୍ର ୨୦ କିମି ଦୂର। ୟୁକ୍ରେନ୍ ସୀମା ସଂଲଗ୍ନ ରୁଷ୍ ଅଞ୍ଚଳରେ ୨ଟି ଡ୍ରୋନ୍ ମଧ୍ୟ ଖସାଇ ଦିଆଯାଇଛି।
ରୁଷ୍ ଆଜି ମଧ୍ୟ ମାରିୟୁପୋଲ୍ ଆଜବଷ୍ଟଲ୍ ଷ୍ଟିଲ ପ୍ଲାଣ୍ଟ୍ରେ ଆକ୍ରମଣ ଜାରି ରଖିଛି। ସେଠାରେ ୟୁକ୍ରେନ୍ ସପକ୍ଷରେ ଲଢ଼ୁଥିବା ବିଦେଶୀ ସୈନିକ ଲୁଚିଥିବାରୁ ରୁଷ୍ ସେମାନଙ୍କୁ ଜୀବିତ ଧରିବାକୁ ଚାହୁଛି। ମାରିୟୁପୋଲ୍ରୁ ମାନବୀୟ କରିଡର ଖୋଲିବା ନେଇ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଏଯାବତ କୌଣସି ଚୁକ୍ତି ହୋଇନାହିଁ ବୋଲି ମାରିୟୁପୋଲ୍ ମେୟର କହିଛନ୍ତି। ରୁଷ୍ ଆକ୍ରମଣ ଜାରି ରଖିଥିବାରୁ ମାରିୟୁପୋଲ୍ରେ ମାନବୀୟ କରିଡର ଖୋଲିବା ଅସମ୍ଭବ ବୋଲି ମାରିୟୁପୋଲ୍ ମେୟର କହିଛନ୍ତି।