ମସ୍କୋ: କରୋନା ମହାମାରୀକୁ ନେଇ ରୁଷ୍ ଏକ ବିସ୍ଫୋରକ ରିପୋର୍ଟ ପ୍ରକାଶ କରିଛି। ରୁଷ୍ କହିଛି ଆମେରିକାରେ ବଡ଼ ବଡ଼ ଔଷଧ କମ୍ପାନି ଏବଂ କିଛି ପ୍ରଭାବଶାଳୀ ବ୍ୟକ୍ତି ସାରା ବିଶ୍ବରେ ପ୍ରଭାବ ବିସ୍ତାର ପାଇଁ କରୋନା ମହାମାରୀର ଷଡ଼ଯନ୍ତ୍ର କରିଥିଲେ। ହିଲାରି କ୍ଲିଣ୍ଟନ, ବାରାକ ଓବାମା, ଜୋ ବାଇଡେନ ଏବଂ ଜର୍ଜ୍ ସୋରସ ମଧ୍ୟ ଏଥିରେ ସହ-ଷଡ଼ଯନ୍ତ୍ରକାରୀ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ଆମେରିକାରେ ରୁଷ୍ ଦୂତାବାସ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ପଶ୍ଚିମ ରାଷ୍ଟ୍ରମାନେ ଭାଇରସ୍ର ଉତ୍ପତ୍ତିକୁ ଲୁଚାଇଛନ୍ତି ଏବଂ ଉକ୍ତ ଘଟଣାରେ ବୈଜ୍ଞାନିକ ତଦନ୍ତକୁ ଚାପି ଦେଇଛନ୍ତି। ରୁଷ୍ ଏନେଇ ଜାତିସଂଘରେ କେତେକ ପ୍ରମାଣ ଦାଖଲ କରିଛି। ୨୦୦୦ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରି ରୁଷ୍ ଆମେରିକା ବିରୋଧରେ ଏଭଳି ବିସ୍ଫୋରକ ଅଭିଯୋଗ ଆଣିଛି। ୟୁକ୍ରେନରେ ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ବାରା ଆରମ୍ଭ ହୋଇଥିବା ବାୟୋ-ରିସର୍ଚ୍ଚ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ରୁଷ୍ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଦୂତାବାସ ପକ୍ଷରୁ କୁହାଯାଇଛି ୟୁକ୍ରେନ ଅନୁଷ୍ଠାନ ଏବଂ ୟୁକ୍ରେନ ନାଗରିକଙ୍କ ସହ ମିଶି ପେଣ୍ଟାଗନ୍ ଯେଉଁ କାମ ଚଲାଇଛି ସେନେଇ ଅନ୍ତର୍ଜାତୀୟ ସମୁଦାୟରେ ଅତି ସାଂଘାତିକ ପ୍ରଶ୍ନ ଉଠିଛି।