କିବ୍: ରୁଷ୍ ସେନା ୟୁକ୍ରେନ ଦଖଲରେ ଥିବା ପଶ୍ଚିମ ରୁ୍ଷ୍ର କୁର୍ସ୍କ ଅଞ୍ଚଳକୁ ମୁକ୍ତ କରିବା ପାଇଁ ଭୟାନକ ଆକ୍ରମଣ ଜାରି ରଖିଛି। ୟୁକ୍ରେନର ସୈନିକମାନଙ୍କୁ ହଟାଇବା ପାଇଁ ଏକ ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଦେଇ ରୁଷୀୟ କମାଣ୍ଡୋମାନେ ମାଇଲ ମାଇଲ ଅତିକ୍ରମ କରି ଆକ୍ରମଣ କରବା ସମସ୍ତଙ୍କୁ ବିସ୍ମିତ କରିଛି। ରୁଷ୍ର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ସେନାର ଅନେକ ଶିବିର ଛାରଖାର ହୋଇଯାଇଥିବା ବେଳେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଯେ କୌଣସି ସମୟରେ ରୁଷ୍ କୁର୍ସ୍କକୁ ପୁନଃ ଦଖଲ ଘୋଷଣା କରିପାରେ ବୋଲି ଜଣାପଡ଼ିଛି। ରୁଷ୍ର ଏଭଳି ଆକ୍ରମଣ ୟୁରୋପୀୟ ନେତାମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପ ପ୍ରତି ମୁହଁ ଫେରାଇ ନେଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନକୁ ସାମରିକ ଓ ଗୁଇନ୍ଦା ସହାୟତା ଆମେରିକା ବନ୍ଦ କରିଥିବାରୁ ୟୁକ୍ରେନ ସେନା ଅସହାୟ ହୋଇପଡ଼ିଛି। ଏଭଳି ସ୍ଥିତିରେ ଆଜି ୟୁକ୍ରେନ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତୁତ ରହିଥିବା ଘୋଷଣା କରିଛନ୍ତି।
ଗ୍ୟାସ୍ ପାଇପ୍ ଲାଇନ ଦେଇ କୁର୍ସ୍କରେ ପଶିଲେ ରୁଷ୍ କମାଣ୍ଡୋ
ଗତ ଫେବ୍ରୁଆରି ୨୮ ତାରିଖରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ହ୍ବାଇଟ୍ହାଉସ୍ରେ ହୋଇଥିବା ବୈଠକ ବିପର୍ଯ୍ୟୟର ରୂପ ନେଇଥିବା ବେଳେ ଏହା ପରଠାରୁ ଟ୍ରମ୍ପଙ୍କ ୟୁକ୍ରେନ ବିରୋଧୀଆଭିମୁଖ୍ୟ କଠୋର ହୋଇଛି। କେବଳ ୟୁରୋପ ଭରସାରେ ୟୁକ୍ରେନ ରୁଷ୍ ସହ ଲଢ଼ିବା ପାଇଁ ସମର୍ଥ ନଥିବାରୁ ଏବେ ଜେଲେନସ୍କି ଟ୍ରମ୍ପଙ୍କ ସବୁ ପ୍ରସ୍ତାବରେ ରାଜି ବୋଲି ଘୋଷଣା କରିଛନ୍ତି। ଶାନ୍ତି ଆଲୋଚନା ପାଇଁ ଆସନ୍ତାକାଲିଠାରୁ ସାଉଦି ଆରବରେ ଆମେରିକୀୟ ଓ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ସମ୍ପର୍କରେ ଆଜି ଜେଲେନସ୍କି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ୟୁକ୍ରେନ ଏବଂ ବ୍ରିଟେନର ପ୍ରତିନିଧି ଦଳଙ୍କ ମଧ୍ୟରେ କିବ୍ରେ ଏକ ବୈଠକ ହୋଇଥିଲା। ବୈଠକ ପରେ ଜେଲେନସ୍କି କହିଛନ୍ତି, ଯଥାଶୀଘ୍ର ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ସହ ଯୁଦ୍ଧକୁ ଶେଷ କରିବା ପାଇଁ ୟୁକ୍ରେନ ସବୁକିଛି କରିବାକୁ ପ୍ରତିଶ୍ରୁତିବଦ୍ଧ। ଇତିମଧ୍ୟରେ ଆମେରିକୀୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟ୍କଫ୍ ନିଶ୍ଚିତ କରିଛନ୍ତି ଯେ ସାଉଦି ଆରବରେ ୟୁକ୍ରେନ ଅଧିକାରୀଙ୍କୁ ଭେଟିବେ ଏବଂ ଏକ ‘ପ୍ରାରମ୍ଭିକ ଅସ୍ତ୍ରବିରତି’ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ। ଉଲ୍ଲେଖଯୋଗ୍ୟ, ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଆଲୋଚନା ଜେଦ୍ଦାରେ ହେବ।