ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି । ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି ହୋଇଥିବାରୁ ରୁଷ ଏହି ନିଷ୍ପତ୍ତି ନେଇଛି ।

ରୁଷର ଉପ-ପ୍ରତିରକ୍ଷାମନ୍ତ୍ରୀ ଆଲେକ୍ସାଣ୍ଡାର ଫୋମିନ କହିଛନ୍ତି ଯେ ୟୁକ୍ରେନ ନିରପେକ୍ଷ ରହିବା ଓ ଅଣ-ଆଣବିକ ଶକ୍ତି ହେବାକୁ ରାଜି ହେବା ପରେ ସ୍ଥିତିରେ ଉନ୍ନତି ଆସିଛି । ଏ ସଂପର୍କରେ ଏକ ରାଜିନାମା ପାଇଁ ଆଲୋଚନା ଚାଲିଥିବାରୁ ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ଏକ ନିଷ୍ପତ୍ତି ନିଆଯାଇଛି ।

ତୁର୍କୀରେ ଚାଲିଥିବା ଆଲୋଚନାରେ ଭାଗ ନେଇଥିବା ରୁଷ ପ୍ରତିନିଧିମଣ୍ଡଳର ମୁଖ୍ୟ ଭ୍ଲାଦିମିର ମେଡିନସ୍କି କହିଛନ୍ତି ଯେ କେତେକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି । ୟୁକ୍ରେନ ଦେଇଥିବା ପ୍ରସ୍ତାବଗୁଡ଼ିକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗରେ ରଖାଯିବ ।

ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଥିଲେ ଯେ ୟୁକ୍ରେନ ନିରପେକ୍ଷ ରହିବ ଓ ବିବାଦୀୟ ଅଂଚଳଗୁଡ଼ିକ ସଂପର୍କରେ ଆଲୋଚନା ପାଇଁ ରାଜି ଅଛି । ଏହା ସହିତ ନାଟୋର ସଦସ୍ୟ ନ ହେବାକୁ ସେ ଘୋଷଣା କରିଥିଲେ । ଏହା ପରେ ରୁଷର ଆଭିମୁଖ୍ୟ ଟିକିଏ ନରମ ହୋଇଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର