କରୋନା ପାଇଁ ଟିକା ପ୍ରସ୍ତୁତ ଦୌଡ଼ରେ ସାରା ବିଶ୍ବ ମାତିଥିବା ବେଳେ ପ୍ରଥମ ଦେଶ ଭାବେ ରୁଷ୍ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରିଥିଲା। ରୁଷ୍ ପକ୍ଷରୁ ଏହାର ନାମ ସ୍ପୁଟନିକ୍ ‘ଭି’ ରଖାଯାଇଛି। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଥମେ ନିଜ ଦୁଇ ଝିଅଙ୍କ ଉପରେ ଏହି ଟିକାକୁ ପରୀକ୍ଷଣ କରିଥିଲେ। ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ସହଯୋଗରେ ଗାମେଲୟା ରିସର୍ଚ ଇନଷ୍ଟିଚ୍ୟୁଟ୍ ଏହାକୁ ପ୍ରସ୍ତୁତ କରିଛି। ଚୀନ୍ର କାନସିନୋ ବାୟୋଲୋଜିକ୍ସ ଓ ବ୍ରିଟେନ୍ର ଅକ୍ସିଫୋର୍ଡ ଓ ଆଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ ହେଉଥିବା ସ୍ପାଇକ୍ ପ୍ରୋଟିନ୍ ଟିକା ସହିତ ରୁଷର ସ୍ପୁଟନିକ ‘ଭି’ ସମାନ। ଟିକାର କ୍ଲିନିକାଲ ପରୀକ୍ଷଣ ଜୁନ୍ ୧୮ତାରିଖରେ ୩୮ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଆରମ୍ଭ ହୋଇଥିଲା। ସମସ୍ତ ସ୍ବେଚ୍ଛାସେବୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବିକାଶିତ ହୋଇଥିଲା। ପ୍ରଥମ ଗ୍ରୁପ୍କୁ ଜୁଲାଇ ୧୫ ଓ ଦ୍ବିତୀୟ ଗ୍ରୁପ୍କୁ ଜୁଲାଇ ୨୦ରେ ଡିସଚାର୍ଜ କରି ଦିଆଯାଇଥିଲା। ଏହି ଟିକାର ଆଡଭାନ୍ସଡ କ୍ଲିନିକାଲ ଟ୍ରାଏଲ୍ ୟୁଏଇ, ସାଉଦି ଆରବ, ଫିଲିପିନ୍ସ ଓ ବ୍ରାଜିଲରେ ଆରମ୍ଭ ହେବ। କୌଣସି ଟିକା ଲୋକମାନଙ୍କୁ ଦିଆଯିବା ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା କରିବା ଜରୁରୀ ବୋଲି ଡବ୍ଲୁଏଚ୍ଓ ପକ୍ଷରୁ କୁହାଯାଇଛି। ମାତ୍ର ଟିକା ଆରମ୍ଭରୁ ହିଁ ବାବାଦ ଘେରକୁ ଆସିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ଓ ପାଶ୍ଚାତ୍ୟ ଦେଶମାନେ ରୁଷର ଟିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଟିକା ପ୍ରଦାନ ପରେ ଏହାର ୧୪୪ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା କୁହାଯାଉଛି। ହେଲେ ସ୍ପୁଟନିକ୍ ‘ଭି’ ସମସ୍ତ ପ୍ରକାର ପରୀକ୍ଷାରେ ସଫଳ ହୋଇଥିବା ରୁଷ ପକ୍ଷରୁ ଦାବି କରାଯାଇଛି।
ସମାଲୋଚକଙ୍କ କହିବା ମୁତାବକ, ରୁଷ ପକ୍ଷରୁ ଏଥିପାଇଁ ଆବଶ୍ୟକ କାଗଜପତ୍ର ଦିଆଯାଇ ନ ଥିବା ଓ କମ୍ ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିବାରୁ ଏହା କେତେଦୂର ନିରାପଦ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରିପୋର୍ଟ ଅନୁସାରେ, ଋଷର ଏହି ଟିକାର ମାନବ ପରୀକ୍ଷଣ ଅଧିକାଂଶ ସୈନ୍ୟମାନଙ୍କ ଉପରେ ହିଁ କରାଯାଇଛି। ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଅତିକମ୍ରେ ୩୦ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କ ଡବଲ ବ୍ଲାଇଣ୍ଡ ପ୍ଲାସିବୋ ପରୀକ୍ଷଣର ଆବଶ୍ୟକତା ଥିଲା। ଯାହାଫଳରେ ଏହାର ସୁରକ୍ଷା ଦିଗ ସହିତ ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ଚିତ୍ର ସାମ୍ନାକୁ ଆସିପାରିଥାନ୍ତା ବୋଲି ସମାଲୋଚକଙ୍କ ମତ।