ମସ୍କୋ : ସିରିୟାରେ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରଙ୍କ ଆକ୍ରମଣ ପରେ ଏବେ ରୁଷ୍ ଗଣମାଧ୍ୟମ ନାଗରିକଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିିଛି। ଆମେରିକାର ଆକ୍ରମଣ ରୁଷ୍ର ପ୍ରଭାବ ଓ ପତିଆରାକୁ କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥିବାରୁ ରୁଷ୍ ଯେକୌଣସି ସମୟରେ ବିଶାଳ ସାମରିକ ଅଭିଯାନ ଆରମ୍ଭ କଲେ ଯୁଦ୍ଧ ସ୍ଥିତିରେ ଲୋକେ କେଉଁଠି ରହିବେ, କେଉଁ ସାମଗ୍ରୀ ରଖିବେ, ବିକିରଣରୁ କିଭଳି ରକ୍ଷା ପାଇବେ ସେଥିପାଇଁ ତୁହାକୁ ତୁହା ପ୍ରଚାର କରାଯାଉଛି। ରୁଷ୍ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଟିଭି ଚ୍ୟାନେଲଗୁଡ଼ିକ ଲଗାତାର ଲୋକଙ୍କୁ ଯୁଦ୍ଧ ସ୍ଥିତିରେ ସୁରକ୍ଷା ପଦକ୍ଷେପ ନେଇ ଅବଗତ କରାଉଛନ୍ତି। ବୋମାରୁ ବର୍ତ୍ତିବା ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳରେ ଶରଣ ନେବା ସହ ବିକିରଣରୁ ଶରୀରକୁ ରକ୍ଷା କରିବା ପାଇଁ ଆୟୋଡିନ୍ ପ୍ୟାକ୍ କରିବାକୁ କୁହାଯାଇଛି। ରୁଷିଆ-୨୪ ଚ୍ୟାନେଲ ଏ ନେଇ ଅହରହ ପ୍ରଚାର ଚଳାଇଥିବା ଏବଂ ଯୁଦ୍ଧ ସଙ୍କଟ ନେଇ ଆଲୋଚନା ଜାରି ରଖିଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି।
ଏବେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଶୀତଳ ଯୁଦ୍ଧ ଯେ କୌଣସି ମୁହୂର୍ତ୍ତରେ ପ୍ରକୃତ ଯୁଦ୍ଧର ରୂପ ନେବାକୁ ଯାଉଛି ବୋଲି ରୁଷ୍ର ଯୁଦ୍ଧନୀତି ବିଶେଷଜ୍ଞମାନେ କହିଛନ୍ତି। ଆମେରିକା ସିରିୟାରେ ଆରମ୍ଭ କରିଥିବା କ୍ଷେପଣାସ୍ତ୍ର ଯୁଦ୍ଧ ଥମିବ ନାହିଁ ଏବଂ ରୁଷ୍ ଏହାର ମୁକାବିଲା ପାଇଁ ଓହ୍ଲାଇଲେ ସମଗ୍ର ବିଶ୍ୱ ଯୁଦ୍ଧର ବଳୟ ଭିତରକୁ ଆସିଯିବ ବୋଲି କୁହାଯାଇଛି। ଯୁଦ୍ଧ ସ୍ଥିତିରେ ବୋମା ନିରୋଧକ ଆଶ୍ରୟସ୍ଥଳରେ ପର୍ଯ୍ୟାପ୍ତ ଖାଦ୍ୟଦ୍ରବ୍ୟ ସହ ରହିବା ଏବଂ ଜୀବନ ରକ୍ଷାକାରୀ ଆବଶ୍ୟକ ଔଷଧପତ୍ର ମହଜୁଦ ରଖିବାକୁ ଗଣମାଧ୍ୟମରେ ପ୍ରଚାର ଚାଲିଛି। ନାଗରିକଙ୍କୁ ଅନ୍ୟ ଶତ୍ରୁ ରାଷ୍ଟ୍ର ତୁଳନାରେ ସର୍ବାଧିକ ସତର୍କ ରଖିବା ଏହି ପ୍ରଚାରର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ପରମାଣୁ ଆକ୍ରମଣ ପରିପ୍ରେକ୍ଷୀରେ ଯେଉଁ ସବୁ ସତର୍କତା ପଦକ୍ଷେପ ଗ୍ରହଣ କରିବା ଜରୁରୀ ସେ ଦିଗରେ ନାଗରିକଙ୍କୁ ସୂଚନା ଦିଆଯାଉଛି। ସିରିୟାରେ ରୁଷ୍ ସୈନ୍ୟଙ୍କ ପ୍ରବଳ ଉପସ୍ଥିତି ସତ୍ତ୍ୱେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଙ୍କ ଧ୍ୱଂସଲୀଳା ରୁଷ୍ ପାଇଁ ଘୋର ଅପମାନର କାରଣ ହୋଇଛି। ଏହାର ଜବାବ ଦେବାକୁ ରୁଷ୍ ପ୍ରସ୍ତୁତି ଚଳାଇଛି ଏବଂ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଦେଶବାସୀଙ୍କୁ ପ୍ରସ୍ତୁତ ରହିବାକୁ ହେବ ବୋଲି କୁହାଯାଇଛି।
ପୁଣି ଆକ୍ରମଣ ଧମକ
ଓ୍ଵାସିଂଟନ : ଆମେରିକା ଓ ତା’ର ମିତ୍ରରାଷ୍ଟ୍ର ବ୍ରିଟେନ୍ ଓ ଫ୍ରାନ୍୍ସ ସିରିୟାରେ ବଡ଼ ଧରଣର କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ କରିବାର ଦିନକ ପରେ ଆଜି ରାଷ୍ଟ୍ରପତି ଡୋନାଲ୍୍ଡ ଟ୍ରମ୍ପ୍ ପୁଣି ସିରିୟାକୁ ଚେତାବନୀ ଦେଇଛନ୍ତି। ଜାତିସଂଘରେ ଆମେରିକାର ପ୍ରତିନିଧି ନିକି ହ୍ୟାଲି ଟ୍ରମ୍ପଙ୍କ ବାର୍ତ୍ତା ପାଠକରି କହିଛନ୍ତି ସିରିୟା ଯଦି ପୁଣି ରାସାୟନିକ ଅସ୍ତ୍ର ବ୍ୟବହାର କରିବ ତା’ହେଲେ ଆମେରିକା ଏହାର ଜବାବରେ ପୁଣି ଭୟାନକ ଆକ୍ରମଣ କରିବ। ଅଧିକ ଆକ୍ରମଣ ପାଇଁ ଆମେରିକାର କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ତୟାର ରହିଛି ବୋଲି ଟ୍ରମ୍ପ୍ କହିଛନ୍ତି। ନିରାପତ୍ତା ପରିଷଦରେ ଆମେରିକାର ଏଭଳି ଧମକକୁ ରୁଷ୍ ଗମ୍ଭୀରତାର ସହ ନେଇଛି ଏବଂ ଆଗକୁ ଏହି ମାମଲା ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି । ପଶ୍ଚିମ ରାଷ୍ଟ୍ରଗୁଡ଼ିକ ସିରିୟା ଆକ୍ରମଣକୁ ଏକସ୍ୱରରେ ସମର୍ଥନ କରିଥିବାରୁ ଟ୍ରମ୍ପ୍ ଏଥିରେ ଉତ୍ସାହିତ ହୋଇ ଅଧିକ ଆକ୍ରମଣ ନିମନ୍ତେ ଧମକ ଦେଇଥିବା କୁହାଯାଉଛି। ତେବେ ସିରିୟା କିମ୍ବା ରୁଷ୍ ସେନା ବିରୋଧରେ ସିଧାସଳଖ ଆକ୍ରମଣ ପାଇଁ କୌଣସି ପଶ୍ଚିମ ରାଷ୍ଟ୍ର କହିନାହାନ୍ତି।
ସିରିୟା ଆକ୍ରମଣ ନେଇ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ତୀବ୍ର କଥା କଟାକଟି ହୋଇଥିବା ବେଳେ ରୁଷ୍ ଏହି ଆକ୍ରମଣକୁ ସାମୂହିକ ନିନ୍ଦା କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଙ୍କ ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ବିରୋଧରେ ମଧ୍ୟ ଏକ ପ୍ରସ୍ତାବ ରୁଷ୍ ଆଗତ କରିଥିଲା। ତେବେ ରୁଷ୍ର ଏହି ପ୍ରସ୍ତାବକୁ କେବଳ ଚୀନ୍ ଏବଂ ବଲ୍ଭିଆ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରର ସମର୍ଥନ ମିଳିନାହିଁ। ଜାତିସଂଘରେ ରୁଷ୍ ରାଷ୍ଟ୍ରଦୂତ ଭାସିଲି ନେବେନ୍ଜିଆ କହିଛନ୍ତି ଯେ ସିରିୟା ମାମଲାରେ ଆମେରିକା, ବ୍ରିଟେନ୍୍ ଓ ଫ୍ରାନ୍୍ସର ପଦକ୍ଷେପ ଅତ୍ୟନ୍ତ ନିନ୍ଦନୀୟ ଏବଂ ଉଗ୍ର ପାଗଳାମୀର ପରିଚୟ। ରାସାୟନିକ ଆକ୍ରମଣ ନେଇ କୌଣସି ତଦନ୍ତକାରୀ ସଂସ୍ଥାର ରିପୋର୍ଟକୁ ଅପେକ୍ଷା ନକରି ଏଭଳି ଆକ୍ରମଣ କରିବା କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଆକ୍ରମଣକାରୀ ରାଷ୍ଟ୍ରମାନଙ୍କୁ ଚେତାବନୀ ଦେଇ ସେ କହିଲେ ଯେ ସିରିୟା ରାସାୟନିକ ଅସ୍ତ୍ର ବ୍ୟବହାର କରିନଥିବା ସଂକ୍ରାନ୍ତରେ ସ୍ପଷ୍ଟ ସଫେଇ ଦେଇଥିବା ସତ୍ତ୍ୱେ ଆକ୍ରମଣ କରାଯାଇଛି । ଏ ବାବଦରେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି ଏକପାଖିଆ ଆକ୍ରମଣ ହୋଇଥିବାରୁ ଏହାର ଜବାବ ମଧ୍ୟ ମିଳିବ ବୋଲି ସେ କହିଛନ୍ତି। ତେବେ ଆମେରିକା ରାଷ୍ଟ୍ରଦୂତ ନିକି ହାଲି ରୁଷ୍ର ବୟାନକୁ ଖଣ୍ଡନ କରି ରାସାୟନିକ ଅସ୍ତ୍ର ପ୍ରୟୋଗ ସିରିୟା ହିଁ ନିଜ ନାଗରିକଙ୍କ ବିରୋଧରେ କରିଥିବା କହିଥିଲେ। ପୁନଃ ଆକ୍ରମଣ ପାଇଁ ଆମେରିକାର ଧମକପୂର୍ଣ୍ଣ ବୟାନକୁ ନେଇ ବୈଠକରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଜାତିସଂଘରେ ସିରିୟା ପ୍ରତିନିଧି ବସର୍ ଜଫାରି କହିଛନ୍ତି ଯେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ମିଛୁଆ, ପ୍ରବଞ୍ଚକ ଏବଂ ବିଧ୍ୱଂସକାରୀ। ସେମାନେ ଜାତିସଂଘକୁ ଶୋଷଣ କରି ଏହାର ଗରିମା ନଷ୍ଟ କରିଛନ୍ତି ବୋଲି ବସର୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/rusia.jpg)