ପୋଂୟାଂ: ଗତ ଦୁଇ ଦଶନ୍ଧୀ ମଧ୍ୟରେ ପ୍ରଥମ ଥର ନିମନ୍ତେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର-କୋରିଆ ଗସ୍ତରେ ଯାଇ ମଙ୍ଗଳବାର ପୋଂୟାଂରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଉତ୍ତରକୋରିଆର ସରକାରୀ ଖବରକାଗଜ ରୋଡୋଂ ସିନ୍ମୁନ୍ରେ ଏକ ନିବନ୍ଧ ଲେଖି ପୁଟିନ ନିଜ ଗସ୍ତ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି। ଏଥିରେ ରାଷ୍ଟ୍ରପତି ପୁଟିନ ଦର୍ଶାଇଛନ୍ତି ଯେ ସ୍ବାଧୀନତା, ସ୍ବପରିଚୟ ନିମନ୍ତେ ପୋଂୟାଂର ସଂଘର୍ଷକୁ ସେ ସହାୟତା ଦେବେ।
ନିବନ୍ଧରେ ପୁଟିନ ଆମେରିକା ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ର ସମୂହକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଷଡ଼ଯନ୍ତ୍ରକାରୀ ଓ ଭୟାନକ ଶତ୍ରୁ ବିରୋଧରେ ଉତ୍ତରକୋରିଆର ବୀର ନାଗରିକଙ୍କ ସଂଘର୍ଷକୁ ରୁଷ୍ ନିରବଚ୍ଛିନ୍ନ ଭାବେ ସହାୟତା ଦେଇଆସିଛି ଓ ଭବିଷ୍ୟତରେ ମଧ୍ୟ ଦେବ । ସ୍ବାଧୀନତା, ଆତ୍ମପରିଚୟ ଓ ଉନ୍ନୟନ ନିମନ୍ତେ ନିଜ ବିକଳ୍ପ ପନ୍ଥା ଚୟନ କରିବାରେ ସେମାନଙ୍କ (ଉତ୍ତରକୋରିଆ)ର ଯୁଦ୍ଧକୁ ରୁଷ୍ ସମସ୍ତ ସହଯୋଗ କରିବ। ଏହାସହ ୟୁକ୍ରେନ୍ ବିରୋଧରେ ରୁଷ୍ର ସାମରିକ ଅଭିଯାନକୁ ଉତ୍ତରକୋରିଆର ନିଃସର୍ତ୍ତ ସମର୍ଥନ ପ୍ରତି ପୁଟିନ କୃତଜ୍ଞତା ଜ୍ଞାପନ କରିଛନ୍ତି। ଉଭୟ ରାଷ୍ଟ୍ର ସାଧାରଣ ପ୍ରାଥମିକତା ଓ ଲକ୍ଷ୍ୟର ସୁରକ୍ଷା ନିମନ୍ତେ ମିଳିତ ପ୍ରୟାସ କରିବାକୁ ପ୍ରସ୍ତୁତ ବୋଲି ପୁଟିନ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ରାଷ୍ଟ୍ରପତି ପୁଟିନଙ୍କ ସହ ରୁଷ୍ର ବିଦେଶ ମନ୍ତ୍ରୀ ସେର୍ଗି ଲାଭ୍ରୋଭ୍, ଉପପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତ୍ରୁଭ୍, ପ୍ରତିରକ୍ଷା ମନ୍ତ୍ରୀ ଆନ୍ଦ୍ରେ ବେଲୁସୋଭ୍, ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସୋକ୍, ପରିବହନମନ୍ତ୍ରୀ ରୋମାନ୍ ସାତ୍ରୋଭୋୟତ୍, ରସ୍କସ୍ମୋସ୍ ମୁଖ୍ୟ ୟୁରି ବୋରିସୋଭ୍ ଓ ରୁଷ୍ ରେଳବାଇ ମୁଖ୍ୟ ଓଲିଗ୍ ବେଲୋଜ୍ୟୋରୋଭ୍ ମଧ୍ୟ ଉତ୍ତରକୋରିଆ ଗସ୍ତରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/jgdjdgjgjdgj.jpg)