ମସ୍କୋ: ୟୁକ୍ରେନ୍ ଯୁଦ୍ଧକୁ ଆଜି ୨୫ ଦିନ ପୂରଣ ହୋଇଥିବା ବେଳେ ରୁଷ୍ ଏବେ ପାରମ୍ପରିକ ଅସ୍ତ୍ର ଛାଡ଼ି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବ୍ୟବହାର କରିବା ଆରମ୍ଭ କରିଛି। ୟୁକ୍ରେନ୍ର ୨୦ଟି ସହରରେ ରୁଷ୍ର ଟ୍ୟାଙ୍କ୍ ବାହିନୀ ଗୋଳାବର୍ଷା ଜାରି ରଖିଥିବା ବେଳେ ଶୁକ୍ରବାରଠାରୁ ରୁଷ୍ ଯୁଦ୍ଧନୀତିରେ ପରିବର୍ତ୍ତନ ଆଣିଛି ଏବଂ ପ୍ରମୁଖ ଟାର୍ଗେଟ୍ଗୁଡ଼ିକୁ ଅତ୍ୟାଧୁନିକ ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ଼ କରି ଧ୍ବଂସ କରୁଛି। ୪୮ ଘଣ୍ଟା ମଧ୍ୟରେ ରୁଷ୍ ୨ ଥର ହାଇପର୍ସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରୁଷ୍ ନିଜର ସର୍ବାଧୁନିକ କିନ୍ଝାଲ୍ କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ହାଇପରସୋନିକ ଏରୋବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ୟୁକ୍ରେନ୍ର ଏକ ବହୁତ ବଡ଼ ଅସ୍ତ୍ର ଭଣ୍ଡାରକୁ ଧ୍ବସ କରିଦେଇଛି। ଡେଲିୟାଟାନ୍ ଅଂଚଳରେ ଥିବା ଏହି ବିଶାଳ ଅସ୍ତ୍ର ଭଣ୍ଡାରରେ ଶତାଧିକ କ୍ଷେପଣାସ୍ତ୍ର ସମେତ ଗୋଳାବାରୁଦ ଭର୍ତ୍ତି ହୋଇଥିଲା। ଶବ୍ଦଠାରୁ ୫ ଗୁଣ ଅଧିକ ବେଗରେ ଗତି କରୁଥବା ଏହି ହାଇପରସୋନିକ ମିସାଇଲ୍ ୨୦୦୦ କିମି ପର୍ଯ୍ୟନ୍ତ ସଠିକ୍ ଲକ୍ଷ୍ୟ ଭେଦ କରିପାରୁଛି। ଗତରାତିରେ ମଧ ରୁଷ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ଼ କରି ଲଭିଭ୍ ବିମାନ ବନ୍ଦର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଏବଂ ଏବଂ ଏକ ବିମାନ ମରାମତି କାରଖାନା ଧ୍ବଂସ କରିଦେଇଛି। ଗୋଟିଏ ପଟେ ଶାନ୍ତି ଆଲୋଚନା ପାଇଁ ତୁହାକୁ ତୁହା ପ୍ରୟାସ ଚାଲିଥିବା ବେଳେ ଅନ୍ୟପଟେ ଯୁଦ୍ଧ ଭୀଷଣ ରୂପ ନେଉଥିବାରୁ ଏହାକୁ ନେଇ ସମଗ୍ର ୟୁରୋପରେ ଅସ୍ଥିରତା ବଢ଼ୁଛି।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଯୁଦ୍ଧନୀତିରେ ପରିବର୍ତ୍ତନ ଆଣି ବିନାଶକାରୀ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରୟୋଗ ଆରମ୍ଭ କରିଥିବାରୁ ନାଟୋ ଦେଶମାନଙ୍କର ଚିନ୍ତା ବଢ଼ିଯାଇଛି। ୟୁକ୍ରେନ୍କୁ ଲାଗି ରହିଥିବା ନାଟୋ ରାଷ୍ଟ୍ର ସୀମାରେ ରୁଷ୍ ଆକ୍ରମଣ ଜୋର୍ଦାର କରି ସମସ୍ତଙ୍କୁ ଧମକାଇଛି। ଏଭଳି ସ୍ଥିତିରେ ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ରମାନଙ୍କୁ ବାରମ୍ବାର ସହାୟତା ମାଗୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କି ରୁଷ୍କୁ ନିଶ୍ଚିତ ପରାସ୍ତ କରିବେ ବୋଲି ଦୃଢ଼ୋକ୍ତି ଜାରି ରଖିଛନ୍ତି। ଏପରିକି ପୁଟିନ୍ଙ୍କୁ କ୍ଷମତାରୁ ହଟାଇବା ପାଇଁ ମଧ୍ୟ ନାଟୋ ରାଷ୍ଟ୍ରମାନେ ଯୋଜନା ଆରମ୍ଭ କରିସାରିଛନ୍ତି ବୋଲି ୟୁକ୍ରେନ୍ ମିଡିଆରେ ଦାବି କରିଛି। ଅନ୍ୟପକ୍ଷରେ ଜେଲେ୍ନସ୍କିଙ୍କ ଜିଦ୍ ପାଇଁ ହିଁ ଏଭଳି ସ୍ଥିତି ଆସିଛି ଏବଂ ସେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ନାଟୋ ରାଷ୍ଟ୍ରମାନଙ୍କୁ ଉସୁକାଉଛନ୍ତି ବୋଲି ୟୁକ୍ରେନ୍ର କେତେକ ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି।