ରୁଷ୍‌ର ବିଜୟ ଦିବସ: ବିଶ୍ୱନେତାଙ୍କୁ ଦ୍ୱନ୍ଦ୍ୱରେ ରଖିଲେ ପୁଟିନ

ବିପଦରୁ ଦେଶକୁ ସୁରକ୍ଷା ଦେଉଛି ସେନା

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ବିନା କୌଣସି ବିଜୟରେ ବିଜୟ ଦିବସ ପାଳନ କରିଛନ୍ତି। ବିଜୟ ଦିବସ ପାଇଁ ଯୋଜନା ହୋଇଥିବା ବିମାନ ଉଡ଼ାଣ ପ୍ରଦର୍ଶନୀ ମଧ୍ୟ ବାତିଲ ହୋଇଯାଇଛି। ଏଭଳି ଏକ ନିଷ୍ପତ୍ତି ପାଇଁ ବିଦେଶର ସାମରିକ ବିଶେଷଜ୍ଞଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୮ ମିଗ୍‌-୨୯ ଯୁଦ୍ଧବିମାନ ସମେତ ମୋଟ୍‌ ୭୭ଟି ବିମାନ ଉଡ଼ାଣ ପ୍ରଦର୍ଶନୀରେ ସାମିଲ ହୋଇଥାନ୍ତା। କିନ୍ତୁ ଖରାପ୍‌ ପାଗ ଯୋଗୁଁ ‌ଶେଷ ମୁହୂର୍ତ୍ତରେ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିବା କ୍ରେମଲିନ୍‌ ମୁଖପାତ୍ର କହିଛନ୍ତି।

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ତାଙ୍କ ଭାଷଣରେ ୟୁକ୍ରେନ୍‌ ଯୁଦ୍ଧ ନେଇ ଅତି ସଂକ୍ଷିପ୍ତ ସୂଚନା ଦେଇଛନ୍ତି। ପୁଟିନ ଆଜିର ଦିନରେ ବିଧିବଦ୍ଧ ଭାବେ ଯୁଦ୍ଧ ଘୋଷଣା କରିବେ ବୋଲି ଆକଳନ କରାଯାଉଥିଲା। କିନ୍ତୁ ପୁଟିନ ସେଭଳି କୌଣସି ଘୋଷଣା ନକରିବାରୁ ବିଶ୍ବ ନେତାମାନଙ୍କର ଦ୍ବନ୍ଦ୍ବ ବଢ଼ିଛି। କୁହାଯାଉଛି ଯେ ପୁଟିନ ଚଳିତ ସପ୍ତାହରେ ଯୁଦ୍ଧକୁ ଆହୁରି ଜୋରଦାର କରିପାରନ୍ତି। ଅନ୍ୟପକ୍ଷେ ବ୍ରିଟେନ୍‌ର ପ୍ରତିରକ୍ଷା ସଚିବ ବେନ୍‌ ୱାଲେସ କହିଛନ୍ତି, ପୁଟିନ ତାଙ୍କ ବିଜୟ ଦିବସ ଭାଷଣରେ ହତାଶାଭାବର ପରିପ୍ରକାଶ କରିଛନ୍ତି। ବିଜୟ ଦିବସରେ ମାରିୟୁପୋଲ୍‌ରେ ପରେଡ୍‌ ହେବାର ଯୋଜନା‌ ହୋଇଥିଲା। କିନ୍ତୁ ଏହା ହୋଇନାହିଁ। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ଖୁବ୍‌ଶୀଘ୍ର ୟୁକ୍ରେନ୍‌ରେ ୨ଟି ବିଜୟ ହେବ।

କିବ: ୧୯୪୫ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ରୁଷ ସେନା ନାଜି ଜର୍ମାନୀକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ସେବେଠାରୁ ରୁଷ୍‌ ମେ ୯ ତାରିଖକୁ ବିଜୟ ଦିବସ ଭାବେ ପାଳନ କରିଆସୁଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଦିବସରେ ପୁଟିନଙ୍କ ଘୋଷଣାକୁ ନେଇ ଉତ୍ସୁକତା ଲାଗି ରହିଥିଲା। ଆଜି ମସ୍କୋର ରେଡ୍‌ ସ୍କୋୟାରଠାରେ ଆୟୋଜିତ ବିଜୟ ଦିବସ ପରେଡ୍‌ରେ ଉପସ୍ଥିତ ହଜାର ହଜାର ସୈନିକମାନଙ୍କୁ ଉଦ୍‌ବୋଧନ ଦେଇ ପୁଟିନ କହିଛନ୍ତି, ୟୁକ୍ରେନ ବିରୋଧରେ ଚାଲିଥିବା ଲଢ଼େଇ ବିପଦରେ ପଡ଼ିଥିବା ମାତୃଭୂମିର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏକ ଆଦୌଁ ଗ୍ରହଣଯୋଗ୍ୟ ନଥିବା ବିପଦକୁ ରୁଷ୍‌ ସାମ୍ନା କରୁଛି। ଏଥିସହିତ ବିଶ୍ବଯୁଦ୍ଧ ଭଳି ବିପଦ ସଂପର୍କରେ ପୁଟିନ ସଚେତନ କରାଇ ଦେଇଛନ୍ତି।

ରେଡ୍ ସ୍କୋୟାରରେ କିନ୍ତୁ କୌଣସି ବଡ଼ ଘୋଷଣା କରିନାହାନ୍ତି। ୟୁକ୍ରେନ-ରୁଷ୍‌ ଯୁଦ୍ଧ ଗତ ୩ ମାସ ହେଲା ଲାଗି ରହିଛି। ବର୍ତ୍ତମାନ ରୁଷ୍‌ ୟୁକ୍ରେନର ପୂର୍ବାଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ୟୁକ୍ରେନ ବିଜୟରେ ସାମିଲ ହେବାକୁ ରୁଷ୍‌ ଅନ୍ୟ କାହାରିକୁ ସୁଯୋଗ ଦେବନାହିଁ। ସେହିଭଳି ଅନ୍ୟ କେହି ୟୁକ୍ରେନକୁ ହାସଲ କରନ୍ତୁ ତାହାକୁ ମଧ୍ୟ ଅନୁମତି ଦେବନାହିଁ ବୋଲି ପୁଟିନ ଏକ ଭିଡିଓ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୟୁକ୍ରେନୀୟମାନେ ଯେଉଁସବୁ ସହରରୁ ନାଜି ଜର୍ମାନୀକୁ ବିଦା କରିଥିଲେ ରୁଷ ବର୍ତ୍ତମାନ ସେସବୁ ସହରକୁ ନିଜ ଅଧୀନକୁ ନେଇଛି। ପୁଟିନ ସେସବୁ ସହର ମଧ୍ୟରୁ କିଛି ସହରର ନାମ ଘୋଷଣା କରିଛନ୍ତି। ପୂ‌ର୍ବେ ଆମେ ବିଜୟ ହାସଲ କରିଥିଲୁ ଏବଂ ‌ଏବେ ବି ବିଜୟୀ ହେବୁ ବୋଲି ପୁଟିନ କହିଛନ୍ତି। ଉକ୍ତ ସହର ମଧ୍ୟରେ ମାରିୟୁପୋଲ ରହିଛି। ମାରିୟୁପୋଲକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବାପରେ ରୁଷ୍‌ ତାହାକୁ କ୍ରିମିଆ ସହିତ ସ୍ଥଳଭାଗରେ ଯୋଡ଼ିବା ଯୋଜନା ରଖିଛି। ୟୁକ୍ରେନରେ ଲଢ଼େଇ କରୁଥିବା ରୁଷ୍‌ ସୈନ୍ୟଙ୍କ ପାଇଁ ସେ କହିଛନ୍ତି, ଆପଣମାନେ ମାତୃଭୂମି ଓ ଏହାର ଭବିଷ୍ୟତ ପାଇଁ ଲଢ଼େଇ କରୁଛନ୍ତି। ତେଣୁ ଦ୍ବିତୀୟ ବିଶ୍ବଯୁଦ୍ଧର ଶିକ୍ଷାକୁ କେହି ଭୂଲିଯିବା ଉଚିତ ନୁହେଁ ବୋଲି ପୁଟିନ ସେମାନଙ୍କୁ କହିଛନ୍ତି। କ୍ରିମିଆ ସହିତ ଡୋନବାସ ଅଞ୍ଚଳରେ ଅନୁପ୍ରବେଶ ପାଇଁ ୟୁକ୍ରେନ ଏବଂ ପଶ୍ଚିମ ଦେଶଗୁଡ଼ିକ ଉଦ୍ୟମ କରିଥିଲେ । ଆମ ପାଇଁ ଆଦୌଁ ଗ୍ରହଣଯୋଗ୍ୟ ନଥିବା ବିପଦ ସୃଷ୍ଟି କରାଯାଇଥିଲା, ତାହା ପୁଣି ସିଧାସଳଖ ଆମ ସୀମାରେ ବୋଲି ପୁଟିନ କହିଛନ୍ତି। ବିଜୟ ଦିବସ ପରିପ୍ରେକ୍ଷୀରେ ରେଡ୍ ସ୍କୋୟାରରେ ଲଢ଼ୁଆ ବିମାନ ଉଡ଼ାଣ ନେଇ ପୂର୍ବରୁ ଯୋଜନା କରାଯାଇଥିଲା। ତାହାକୁ ବାତିଲ କରାଯାଇଥିଲେ ବି ପାଖାପାଖି ୧୧ ହଜାର ସୈନ୍ୟ, ୧୫୦ ସାମରିକ ଯାନ ଏବଂ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର