ୱାସିଂଟନ୍: ରୁଷ୍ର ଘରୋଇ ସେନା ସଙ୍ଗଠନ ‘ୱାଗ୍ନର୍ ଗ୍ରୁପ୍’ ଲେବାନନ୍ର ‘ହିଜ୍ବୁଲ୍ଲା’କୁ ଦେବା ପାଇଁ ଗୋଟାଏ ଅତ୍ୟାଧୁନିକ ‘ଏୟାର୍ ଡିଫେନ୍ସ୍ ମିସାଇଲ୍ ସିଷ୍ଟମ୍’ ପ୍ରସ୍ତୁତି କରୁଥିବା କଥା ‘ନ୍ୟୁୟର୍କ ପୋଷ୍ଟ’ ରିପୋର୍ଟ କରିଛି।
‘ଏୟାର୍ ଡିଫେନ୍ସ୍ ମିସାଇଲ୍ ସିଷ୍ଟମ୍’ ‘ଏସ୍ଏ-୨୨’ର ସମ୍ଭାବ୍ୟ ଡେଲିଭରି ସଂକ୍ରାନ୍ତରେ ‘ୱାଗ୍ନର୍’ ଓ ‘ହମାସ୍’କୁ ସମର୍ଥନ ଦେଉଥିବା ଆତଙ୍କବାଦୀ ସଙ୍ଗଠନ ‘ହିଜ୍ବୁଲ୍ଲା’ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ସମ୍ପ୍ରତି ଆମେରିକୀୟ ସରକାରୀ ଅଧିକାରୀମାନେ ଦୃଷ୍ଟି ରଖିଛନ୍ତି। ‘ଏସ୍ଏ-୨୨ ସିଷ୍ଟମ୍’ ବିମାନ ଆକ୍ରମଣ ପ୍ରତିହତ କରିବା ଲାଗି ‘ଆଣ୍ଟି-ଏୟାର୍କ୍ରାଫ୍ଟ’ କ୍ଷେପଣାସ୍ତ୍ର ପ୍ରୟୋଗ କରେ।
ଟ୍ରକ୍ ଉପରେ ରହୁଥିବା ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ‘ଏସ୍ଏ-୨୨ ସିଷ୍ଟମ୍’ ‘ପ୍ୟାଣ୍ଟ୍ସର୍-ଏସ୍୧’ ନାମରେ ବି ସୁପରିଚିତ। ଏହି ‘ଆଣ୍ଟି-ଏୟାର୍କ୍ରାଫ୍ଟ ଆର୍ଟିଲେରି ୱିପନ୍ସ୍ ସିଷ୍ଟମ୍’ ରୁଷ୍ରେ ନିର୍ମିତ।
ଏହି ଅସ୍ତ୍ର ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ମଧ୍ୟ ପ୍ରୟୋଗ କରାଯାଇଛି। ତେଣୁ, ଇସ୍ରାଏଲ୍ ବିମାନ ଆକ୍ରମଣରୁ ସୁରକ୍ଷିତ ରହିବା ଲାଗି ଏହାକୁ ଇରାନ୍ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ମଧ୍ୟପ୍ରାଚ୍ୟରେ ମୁତୟନ କରାଇପାରେ।
ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ ଅଧିକାରୀ କହିଛନ୍ତି, ‘ଏସ୍ଏ-୨୨’ ଏପର୍ଯ୍ୟନ୍ତ ଲେବାନନ୍କୁ ଯୋଗାଇ ଦିଆଯାଇ ନାହିଁ। କିନ୍ତୁ, ସମ୍ପ୍ରତି ସିରିୟାରେ କେତେକ ହିଜ୍ବୁଲ୍ଲା ଓ ‘ୱାଗ୍ନର’ ଅଧିକାରୀ ଅବସ୍ଥାନ କରୁଛନ୍ତି।
ଗାଜାରେ ଚାଲିଥିବା ଇସ୍ରାଏଲ୍ର ବିମାନ ଆକ୍ରମଣରୁ ହମାସ୍କୁ ସହାୟତା କରିବା ପାଇଁ ଲେବାନନ୍ରୁ ଏହି ଅସ୍ତ୍ରକୁ ଗାଜା ପଠାଯିବ କି, ନାହିଁ ତାହା ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, ଇସ୍ରାଏଲ୍-ହମାସ୍ ଯୁଦ୍ଧ ତେଜିବାରୁ ଲେବାନନ୍ ସୀମାନ୍ତ ଅଞ୍ଚଳରେ ଇସ୍ରାଏଲ୍ ଓ ହିଜ୍ବୁଲ୍ଲା ମଧ୍ୟରେ ମଧ୍ୟ ସଂଘର୍ଷ ବୃଦ୍ଧି ପାଇଛି।