ମସ୍କୋ/କିବ୍: ରୁଷ-ୟୁକ୍ରେନ ବିବାଦ ଚାରି ବର୍ଷ ପୂରଣ କରିଛି। ମସ୍କୋ ଯାହାକୁ ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ କହି ୨୪ ଫେବ୍ରୁଆରି ୨୦୨୨ ରେ ଆରମ୍ଭ କରିଥିଲା। ସେହି ସମୟରେ, ବିଶ୍ୱ ଭବିଷ୍ୟବାଣୀ କରିଥିଲା , ଏହା ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲିବ ନାହିଁ। କିନ୍ତୁ ସଂଘର୍ଷକୁ ଇତି ମଧ୍ୟରେ ୧୪୬୦ ଦିନ ପୂରିଛି। ଯୁଦ୍ଧ ଜାରି ରହିଛି। ଏହା ଦର୍ଶାଉଛି ଯେ, ପ୍ରାରମ୍ଭିକ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭୁଲ ଥିଲା। ଏହା ଶୀଘ୍ର ଶେଷ ହେବାର କୌଣସି ଆଶା ମଧ୍ୟ ନାହିଁ। ଏହି ସଂଘର୍ଷ ଉଭୟ ଦେଶର ଅନେକ ଭୁଲ ଧାରଣାକୁ ପ୍ରକାଶ କରିଛି। ଏକଦା ଅପରାଜେୟ ବୋଲି ବିବେଚିତ ରୁଷୀୟ ସାମରିକ ଶକ୍ତି ପ୍ରତି ଧାରଣା ଭାଙ୍ଗି ଯାଇଛି। ଏହି ସଂଘର୍ଷ ୟୁରୋପର ସୁରକ୍ଷା ବ୍ୟବସ୍ଥା ତଥା ବିଶ୍ୱ ଶକ୍ତି ସନ୍ତୁଳନକୁ ପରିବର୍ତ୍ତନ କରିଛି। ଆମେରିକା ଓ ୟୁରୋପ ମଧ୍ୟରେ ଟ୍ରାନ୍ସଆଟଲାଣ୍ଟିକ୍ ସମ୍ପର୍କରେ ମଧ୍ୟ ତିକ୍ତତା ଆଣିଛି। ସାମଗ୍ରିକ ଭାବରେ, ଏହି ସଂଘର୍ଷ ଆଉ କେବଳ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ହୋଇ ରହିନାହିଁ। ଏହା ବିଶ୍ୱ ରାଜନୀତି ତଥା ସାମରିକ ଶକ୍ତିର ବାସ୍ତବତାକୁ ଏକ ନୂତନ ଉପାୟରେ ପ୍ରକାଶିତ କରିଛି।

Advertisment

ଅଧିକପଢ଼ନ୍ତୁ:ପ୍ରେମିକା ଯୋଗୁ ପ୍ରାଣ ହରାଇଲେ କୁଖ୍ୟାତ ଅପରାଧୀ ଏଲ୍ ମେଞ୍ଚୋ

ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ସ୍ପଷ୍ଟ ଭାବରେ କହିଛନ୍ତି, ଆମେ କ୍ଳାନ୍ତ, କିନ୍ତୁ ମୁଣ୍ଡ ନୁଆଁଇବୁ ନାହିଁ। ଯଦି ୟୁକ୍ରେନ ରୁଷର ସର୍ତ୍ତଗୁଡ଼ିକୁ ଗ୍ରହଣ କରେ, ତେବେ ଏହାର ଅର୍ଥ ହେବ ଯେ, ଦେଶ ନିଜର ସାର୍ବଭୌମତ୍ୱ ହରାଇବ। ଏକ ସାକ୍ଷାତକାରରେ ଜେଲେନସ୍କି ସ୍ୱୀକାର କରିଛନ୍ତି, ସାଧାରଣ ଲୋକ ଓ ସୈନିକ ଉଭୟ ଦୀର୍ଘ ଦିନର ଯୁଦ୍ଧରେ କ୍ଳାନ୍ତ ହୋଇସାରିଛନ୍ତି। ଏହି ଲଢ଼େଇ କେବଳ ଆମ ଭିଟାମାଟି ପାଇଁ ନୁହେଁ, ବରଂ ଦେଶର ଅସ୍ତିତ୍ୱ ପାଇଁ। ଯଦି ଆମେ ତାଙ୍କୁ ସେ ଯାହା ଚାହୁଁଛନ୍ତି ତାହା ଦେବୁ, ତେବେ ଆମେ ସବୁକିଛି ହରାଇବୁ। ଲୋକମାନେ ପଳାୟନ କରିବାକୁ ବାଧ୍ୟ ହେବେ କିମ୍ବା ରୁଷିଆନ ହୋଇଯିବେ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରି ଜେଲେନସ୍କି କହିଛନ୍ତି, ଏହା ଜଣେ ବ୍ୟକ୍ତିଙ୍କ ଜିଦ୍ ଦ୍ୱାରା ପରିଚାଳିତ ଏକ ଯୁଦ୍ଧ। ଆମେରିକା ବିଶେଷକରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଅଧିକ ଚାପ ପାଇଁ ଜେଲେନସ୍କି ନିବେଦନ କରିଛନ୍ତି। ଯେତେବେଳେ ପଚରାଗଲା ଯେ, ଟ୍ରମ୍ପ ରୁଷ ଉପରେ ଯଥେଷ୍ଟ ଚାପ ପ୍ରୟୋଗ କରୁଛନ୍ତି କି, ଜେଲେନସ୍କି କେବଳ ଗେଟିଏ ଶବ୍ଦରେ ଉତ୍ତର ଦେଇଥିଲେ, ନା। ଜେଲେନସ୍କି କହିଛନ୍ତି, ଶାନ୍ତି ଆଲୋଚନା ଏପର୍ଯ୍ୟନ୍ତ କୌଣସି ଠୋସ୍ ଫଳାଫଳ ଦେଇନାହିଁ। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ସୁରକ୍ଷା ଗ୍ୟାରେଣ୍ଟି।ଯଦି ରୁଷ ପୁଣି ଆକ୍ରମଣ କରେ ତେବେ ୟୁକ୍ରେନର ସହଯୋଗୀମାନେ କ''''ଣ କରିବେ ସେ ବିଷୟରେ ସ୍ପଷ୍ଟ ଉତ୍ତର ଆବଶ୍ୟକ। ପୁଟିନ ପରବର୍ତ୍ତୀ ସମୟରେ କ''''ଣ କରିବେ ତାହା ୟୁକ୍ରେନର ଲୋକମାନେ ଶୁଣିବାକୁ ଚାହାଁନ୍ତି।

ଆମେରିକା ଏକକାଳୀନ ଏକ ଶାନ୍ତି ଚୁକ୍ତିନାମା ଓ ସୁରକ୍ଷା ଗ୍ୟାରେଣ୍ଟି ସ୍ୱାକ୍ଷରିତ କରିବାକୁ ଚାହୁଁଛି, କିନ୍ତୁ କିବ୍ ପ୍ରଥମେ ଆଇନଗତ ଭାବରେ ବାଧ୍ୟତାମୂଳକ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛି। ୟୁକ୍ରେନ୍ ଆମେରିକା କଂଗ୍ରେସରୁ ଅନୁମୋଦନ ପରେ ସ୍ପଷ୍ଟ ପ୍ରତିଶ୍ରୁତି ଦାବି କରୁଛି। ଯୁଦ୍ଧର ପରିସ୍ଥିତି ବିଷୟରେ ଜେଲେନସ୍କି କହିଛନ୍ତି, ପୂର୍ବରୁ ଥିବା ମୋର୍ଚ୍ଚାରେ ଶତ୍ରୁତାକୁ ଫ୍ରିଜ୍ କରାଯିବା ବିଷୟରେ ବିଚାର କରାଯାଇପାରେ। କିନ୍ତୁ ଡୋନେଟସ୍କ ଭଳି ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ପ୍ରଶ୍ନବାହାରେ। ସେ କହିଛନ୍ତି, ଆମେ ପିଲା ନୁହଁ। ତାଙ୍କୁ ଥାଳିରେ ଏକ ଦେଶ ସଜାଇ ଆମେ ଦେଇପାରିବୁ ନାହିଁ। ଲକ୍ଷ ଲକ୍ଷ ଲୋକ ବାସ କରୁଥିବା ଅଞ୍ଚଳର ଭବିଷ୍ୟତ ପାଇଁ ୟୁକ୍ରେନ୍ ହିଁ ଉତ୍ତରଦାୟୀ ବୋଲି ଜେଲେନସ୍କି କହିଛନ୍ତି।

ୟୁକ୍ରେନ୍ ହିଁ ଉତ୍ତରଦାୟୀ

ଏହି ସଂଘର୍ଷରେ ମୃତାହତଙ୍କ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ। ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ଓ ବ୍ରିଟିଶ୍ ସାପ୍ତାହିକ ପତ୍ରିକା ଦି ଇକୋନୋମିଷ୍ଟ ଆକଳନ କରିଛନ୍ତି ଯେ, ଏହି ସଂଘର୍ଷରେ ପ୍ରାୟ ୧୮ ଲକ୍ଷ ଲୋକଙ ହତାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଲକ୍ଷ ରୁଷ ସୈନିକ ମଧ୍ୟ ଅଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ କୌଣସି ଶକ୍ତିଶାଳୀ ଦେଶ ଏତେ ସାମରିକ କ୍ଷତି ସହିନାହିଁ। ରିପୋର୍ଟରେ କୁହାଯାଇଛି, ଗତ ଚାରି ବର୍ଷ ମଧ୍ୟରେ ପ୍ରାୟ ୩ ଲ’ ୨୫ ହଜାର ରୁଷିଆନ୍ ସୈନିକଙ୍କ ଜୀବନ ଯାଇଛି। କିଛି ରିପୋର୍ଟ କହୁଛି, ପ୍ରାୟ ୨ ଲକ୍ଷ ୟୁକ୍ରେନୀୟ ସୈନିକ ମଧ୍ୟ ଜୀବନ ଦେଇଛନ୍ତି। ଯଦି ଏହି ସଂଖ୍ୟା ସଠିକ୍ ହୁଏ, ତେବେ ଏହା ୧୯୪୫ ପରଠାରୁ ଆମେରିକା ଦ୍ୱାରା ଲଢ଼ାଯାଇଥିବା ସମସ୍ତ ଯୁଦ୍ଧରେ ମୃତ ଆମେରିକୀୟ ସୈନିକଙ୍କ ସଂଖ୍ୟାର ପ୍ରାୟ ତିନି ଗୁଣା ହେବ।

ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ବିଶ୍ୱାସର ଅଭାବ। ରୁଷ କହିଛି ଯେ ଡୋନେଟସ୍କ ଓ ଲୁହାନସ୍କ ସମେତ ଡୋନବାସ ଅଞ୍ଚଳର ଏକ ବଡ଼ ଅଂଶ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେ ଯୁଦ୍ଧ ବନ୍ଦ କରିବ ନାହିଁ। ଏହା ବ୍ୟତୀତ, ମସ୍କୋ ଖେରସନ ଏବଂ ଜାପୋରିଝିଆକୁ ନିଜର ଅଞ୍ଚଳ ଭାବରେ ଦାବି କରୁଛି। ରୁଷ ନିଜ ସମ୍ବିଧାନରେ ଏହି ଅଞ୍ଚଳଗୁଡ଼ିକୁ ସାମିଲ କରିଛି। ରୁଷ ଚାହୁଁଛି, ଅନ୍ୟ ଦେଶମାନେ ମଧ୍ୟ କ୍ରିମିଆକୁ ରୁଷ ଅଞ୍ଚଳ ଭାବରେ ମାନ୍ୟତା ଦିଅନ୍ତୁ। ରୁଷ ଚାହୁଁଛି, ୟୁକ୍ରେନ ତାର ସାମରିକ ଶକ୍ତି ହ୍ରାସ କରୁ, ଯେକୌଣସି ସାମରିକ ମେଣ୍ଟରୁ ଦୂରରେ ରହୁ ଏବଂ ତା ନିଜ ଅଞ୍ଚଳରେ କୌଣସି ବିଦେଶୀ ସୈନ୍ୟ ନ ରୁହନ୍ତୁ। ରୁଷର ପୂର୍ବ କାର୍ଯ୍ୟଗୁଡ଼ିକୁ ଦୃଷ୍ଟିରେ ରଖି, ୟୁକ୍ରେନର ଏଥିରେ ବିଶ୍ୱାସର ଅଭାବ ଅଛି। ତେଣୁ, ସେ ପଶ୍ଚିମ ଦେଶଗୁଡ଼ିକ, ବିଶେଷକରି ଆମେରିକାଠାରୁ ଦୃଢ଼ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛି।ପାଶ୍ଚାତ୍ୟ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ଚିନ୍ତା କରୁଛନ୍ତି ଯେ ଏକ ତରବର ଶାନ୍ତି ଚୁକ୍ତିନାମା କିମ୍ବା ୟୁକ୍ରେନକୁ ଅଞ୍ଚଳ ହସ୍ତାନ୍ତର ବିଶ୍ୱସ୍ତରୀୟ ମାନଦଣ୍ଡକୁ ଦୁର୍ବଳ କରିବ।

ଅଧିକପଢ଼ନ୍ତୁ:କେରଳର ନୂଆ ନାଁ ହେଲା 'କେରଳମ୍': କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମଞ୍ଜୁରୀ