‘ଅଦୃଶ୍ୟ ଅସ୍ତ୍ର’ର ପରୀକ୍ଷଣ କଲା ଋଷିଆ

ମସ୍କୋ : ଋଷିଆ ପକ୍ଷରୁ ନିଜର ଜିରକନ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିବା ଦାବି କରାଯାଇଛି । ଏହାକୁ ଅଦୃଶ୍ୟ ଅସ୍ତ୍ର ବୋଲି କହୁଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷିଆର ଯୁଦ୍ଧ ଜାହାଜ ଆଡମିରାଲ ଗୋସକୋଭରୁ ଏହାକୁ ଉଦକ୍ଷେପଣ କରାଯାଇଥିଲା ଓ ଏହା ଆରକଟିକ ସାଗରରେ ଥିବା ଏକ ଲକ୍ଷ୍ୟକୁ ନିର୍ଭୁଲଭାବେ ଭେଦ କରିଥିଲା ।

ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦର ବେଗର ପାଞ୍ଚଗୁଣ ବେଗରେ ଗତି କରିପାରିବ । ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକୁ ମଧ୍ୟ ଭେଦ କରିବାକୁ ସକ୍ଷମ ବୋଲି କୁହାଯାଉଛି ।

ଗତ ଅଗଷ୍ଟ ମାସରେ ଚୀନ ଦ୍ବାରା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ବିଶ୍ବରେ ଏକ ନୂଆ ପ୍ରକାରର ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦୁଇ ମହାଶକ୍ତି ଆମେରିକା ଓ ଋଷିଆ ଯୋଗ ଦେଇଛନ୍ତି । ଇତି ମଧ୍ୟରେ ଆମେରିକା ମଧ୍ୟ ନିଜର ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିସାରିଛି ।

ଅନ୍ୟପକ୍ଷରେ ଭାରତ ବି ଆସନ୍ତା ୪-୫ ବର୍ଷରେ ହାଇପରସୋନିକ ମିସାଇଲର ପରୀକ୍ଷଣ କରିବାକୁ ଉଦ୍ୟମ ଚଳାଇଛି । ଡିଆରଡିଓ ଗତ ସେପ୍ଟେମ୍ବର ୭ ତାରିଖରେ ହାଇପରସୋନିକ ଟେକନଲୋଜୀ ଡେମନଷ୍ଟ୍ରେଟର ଭେହିକ୍ଲର ସଫଳର ପରୀକ୍ଷଣ କରିଥିଲା । ଏହି ଟେକନଲୋଜୀକୁ ବ୍ୟବହାର କରି ଭାରତ ହାଇପରସୋନିକ କ୍ରୁଜ ମିସାଇଲ ନିର୍ମାଣ କରିପାରିବ ।

ସମ୍ବନ୍ଧିତ ଖବର