ରୁସ୍ତମ୍‌-୨ ଡ୍ରୋନ୍‌ର ସଫଳ ପରୀକ୍ଷଣ

ଆମେରିକାର ପ୍ରିଡେଟର ଡ୍ରୋନ୍‌ ଭଳି କାର୍ଯ୍ୟ କରିବ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ(ଡିଆର୍‌ଡିଓ) ପକ୍ଷରୁ ଆଜି ରୁସ୍ତମ-୨ ଡ୍ରୋନ୍‌ର ସଫଳ ପରୀକ୍ଷଣ କରାଯାଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲାର ଏଟିଆର୍‌(ଏରୋନଟିକାଲ୍‌ ପରୀକ୍ଷା କେନ୍ଦ୍ର)ରୁ ଏହି ଡ୍ରୋନ୍‌ର ପରୀକ୍ଷା କରାଯାଇଛି। ଆମେରିକାର ପ୍ରିଡେଟର ଡ୍ରୋନ୍‌ ଭଳି ରୁସ୍ତମ-୨ କାର୍ଯ୍ୟ କରିବ। ମଧ୍ୟମ ଉଚ୍ଚତାରେ ଏହା ଦୀର୍ଘସମୟ ପର୍ଯ୍ୟନ୍ତ ଉଡ଼ିବା ସହିତ ଶତ୍ରୁ ପକ୍ଷର କାର୍ଯ୍ୟ ଉପରେ ନିରୀକ୍ଷଣ କରିପାରିବ। ଏହି ଡ୍ରୋନ୍‌ରେ ସିନ୍ଥେଟିକ୍‌ ଆପାରଚର ରାଡାର, ଇଲେକ୍‌ଟ୍ରୋନିକ୍‌ ଇଣ୍ଟେଲିଜେନ୍ସି ସିଷ୍ଟମ୍‌ ଏବଂ ସିଚୁଏସନାଲ ଆଓ୍ଵାରନେସ୍‌ ପେଲୋଡ ଭଳି ସାମଗ୍ରୀ ରହିପାରିବ।

ଏହି ଡ୍ରୋନ୍‌ର ବିଶେଷତ୍ୱ ହେଲା ବ୍ୟବହାରିକ ଡ୍ରୋନ୍‌ ବର୍ଗରେ ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନ ଲାଗିଛି। ଆଜିର ଏହି ପରୀକ୍ଷଣବେଳେ ଡିଆର୍‌ଡିଓର ଅଧ୍ୟକ୍ଷ ଏସ. ଖ୍ରୀଷ୍ଟୋଫର, ମହାନିର୍ଦେଶକ (ଏରୋନଟିକାଲ ସିଷ୍ଟମ୍‌) ସି. ପି. ରାମନାରାୟଣ, ମହାନିର୍ଦେଶକ(ଇଲେକ୍‌ଟ୍ରୋନିକ୍ସ ଓ ଯୋଗାଯୋଗ ବ୍ୟବସ୍ଥା) ଜେ. ମଞ୍ଜୁଳାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ଥଳସେନା, ନୌସେନା ଓ ବାୟୁସେନାର ଆବଶ୍ୟକତାକୁ ଦେଇ ଭାରତରେ ଡ୍ରୋନ୍‌ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇ ଏହି କାର୍ଯ୍ୟ କରାଯାଉଛି। ଡିଆର୍‌ଡିଓର ଏଡିଇ ଦ୍ୱାରା ଏହି ଡ୍ରୋନ୍‌ର ଡିଜାଇନ୍‌ ଓ ବିକାଶ ହୋଇଥିବାବେଳେ ହାଲ୍‌ ଓ ଭେଲ୍‌ ଏହାର ଉତ୍ପାଦନ ସହଯୋଗୀ ରହିଛନ୍ତି।

ରୁସ୍ତମ-୨ ଡ୍ରୋନ୍‌ ଅତ୍ୟନ୍ତ ଉଚ୍ଚମାନର ବଷୟିକ କୌଶଳରେ ନିର୍ମିତ ହୋଇଛି ଏବଂ ଏହା ସୀମାରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଭାରତୀୟ ସେନାବାହିନୀକୁ ଆହୁରି ଦକ୍ଷ ଏବଂ ଶାଣିତ କରିବା ପାଇଁ ଆଗାମୀ ଦଶନ୍ଧି ଭିତରେ ୪୦୦ ସଂଖ୍ୟକ ଡ୍ରୋନ୍‌ ସାମିଲ କରିବାକୁ ଯୋଜନା କରାଯାଇଛି। ଦେଶର ଆକ୍ରମଣାତ୍ମକ ଏବଂ ଆତ୍ମରକ୍ଷାତ୍ମକ ଆଭିମୁଖ୍ୟକୁ ବାସ୍ତବ ରୂପ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପିତ ‘ଟେକ୍ନୋଲୋଜି ପର୍‌ସ୍ପେକ୍ଟିଭ୍‌ ଆଣ୍ଡ୍‌ କାପାବିଲିଟି ରୋଡ୍‌ମ୍ୟାପ୍‌-୨୦୧୮’ ପ୍ରସ୍ତାବରେ ଏଭଳି ଡ୍ରୋନ୍‌ର ବହୁଳ ନିର୍ମାଣକୁ ଗୁରୁତ୍ୱାରୋପ କରାଯାଇଛି । ବର୍ତ୍ତମାନ ସେନା ପାଖରେ ୨୦୦ ପାଖାପାଖି ଡ୍ରୋନ୍‌ ମହଜୁଦ ଥିବା ବେଳେ ଆଉ ଦୁଇଗୁଣା ସଂଗ୍ରହ ପାଇଁ ଯୋଜନା ରହିଛି। ଏହି ସ୍ୱତନ୍ତ୍ର ପ୍ରକାର ଡ୍ରୋନ୍‌ଗୁଡ଼ିକ ୩୦ ହଜାର ଫୁଟ ଉଚ୍ଚରେ ୨୪ ଘଣ୍ଟା ଧରି ଉଡ଼ିପାରିବା ସହ ୨୦ କିମି ଯାଏ ଲକ୍ଷ୍ୟଭେଦ କରିପାରିବ। ଏଥି ସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ କେବଳ ସ୍ଥଳସେନା ଏବଂ ନୌସେନା ପାଇଁ ୧୦୦ରୁ ୧୫୦ ସଂଖ୍ୟକ ମିଡଲ୍‌ ଅଲ୍‌ଟିିଚ୍ୟୁଡ୍‌ ଲଙ୍ଗ୍‌ ଏଣ୍ଡୁରାନ୍ସ(ମେଲ୍‌) ଡ୍ରୋନ୍‌ର ସାମିଲ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଛି।

ସମ୍ବନ୍ଧିତ ଖବର