ନୂଆଦିଲ୍ଲୀ: ରିଆନ୍ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ହରିଆଣା ପୁଲିସ୍ ଗିରଫ କରିଥିବା ସେହି ସ୍କୁଲ୍ର ବସ୍ କଣ୍ଡକ୍ଟର ଅଶୋକ କୁମାରଙ୍କୁ ମଙ୍ଗଳବାର ଗୁରୁଗ୍ରାମ ଜିଲ୍ଲା ଅଦାଲତ ଜାମିନ ପ୍ରଦାନ କରିଛନ୍ତି।
ଏଏନ୍ଆଇ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୭ ବର୍ଷିଅ ପ୍ରଦୁମ୍ନ ହତ୍ୟା ମାମଲାରେ ବସ୍ କଣ୍ଡକ୍ଟର ଅଶୋକ କୁମାରଙ୍କ ବିରୋଧରେ ସିବିଆଇ ଉପଯୁକ୍ତ ତଥ୍ୟ ପ୍ରଦାନ କରି ପାରି ନ ଥିବାରୁ ଗୁରୁଗ୍ରାମ ଜିଲ୍ଲା ଅଦାଲତ ଅଶୋକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ କରାଯାଇଥିବା ଡିଏନ୍ଏ ଟେଷ୍ଟ୍ର ରିପୋର୍ଟ ମଧ୍ୟ ଅଶୋକଙ୍କ ସପକ୍ଷରେ ବାହାରିଥିଲା ବୋଲି ଜାଣିବାକୁ ମିଳିଛି।
ଅଭିଯୁକ୍ତ ଅଶୋକଙ୍କୁ ଅଦାଲତ ୫୦,୦୦୦ ଟଙ୍କାର ବଣ୍ଡ୍ ସହିତ ଖଲାସ କରିଛନ୍ତି। ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ଏହି ଜାମିନ ପ୍ରଦାନ କରାଯାଇଛି। ଅଦାଲତଙ୍କ ଏହି ନିଷ୍ପତ୍ତିଙ୍କୁ ଅଶୋକଙ୍କ ପରିବାର ଲୋକେ ଅଭିନନ୍ଦନ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ମାସରେ ହରିଆଣାର ରିଆନ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ରେ ପଢୁଥିବା ୭ ବର୍ଷିଅ ପ୍ରଦ୍ୟୁମ୍ନର ମୃତଦେହ ସେହି ସ୍କୁଲ୍ର ଓ୍ଵାସ୍ରୁମ୍ରୁ ମିଳିଥିଲା। ଏହି ମାମଲାରେ ହରିଆଣା ପୁଲିସ୍ ବସ୍ କଣ୍ଡକ୍ଟର ଅଶୋକ କୁମାରଙ୍କୁ ସନ୍ଦେହ କରି ଗିରଫ କରିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାର ତଦନ୍ତ କରି କିଛି ଦିନ ତଳେ ସିବିଆଇ ସେହି ସ୍କୁଲ୍ରେ ପଢୁଥିବା ଜଣେ ଏକାଦଶ ଶ୍ରେଣୀ ଛାତ୍ରକୁ ଗିରଫ କରିଥିଲା।
ତେବେ, ଅଦାଲତ ଅଶୋକ କୁମାରଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରି ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ଥିବାର ପ୍ରମାଣ ନଥିବାରୁ ତାଙ୍କୁ ଖଲାସ କରିଛନ୍ତି। କଣ୍ଡକ୍ଟର ଅଶୋକଙ୍କୁ ଗିରଫ କରିବା ଏକ ଭୁଲ ଥିଲା ବୋଲି ହରିଆଣା ପୁଲିସ୍ ମଧ୍ୟ ସ୍ୱୀକାର କରିସାରିଛି। ଅଶୋକଙ୍କୁ ଗିରଫ କରିବା ବେଳେ ଭଲ ଭାବେ ସିସିଟିଭି ଫୁଟେଜ୍ ଦେଖି ନଥିଲେ ବୋଲି ଗିରଫ କରିଥିବା ପୁଲିସ୍ ଦଳ ନିକଟରେ ସ୍ୱୀକାର କରିଥିଲେ।