ପ୍ରଦ୍ୟୁମ୍ନ ହତ୍ୟା ମାମଲା: ସିବିଆଇ ଯାଞ୍ଚ ରୋକିବା ପାଇଁ ଚାପ ପକାଉଥିଲେ ହରିୟାଣା ମନ୍ତ୍ରୀ !

ଗୁରୁଗ୍ରାମ: ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲାକୁ ନେଇ ବିଭିନ୍ନ ପ୍ରକାର ରହସ୍ୟ ସାମ୍ନାକୁ ଆସୁଛି। ତେବେ ଏହି ହତ୍ୟା ମାମଲାରେ ପ୍ରଥମେ ସ୍କୁଲର ବସ୍‌ କଣ୍ଡେକ୍ଟର ଓ ପରେ ଏକାଦଶ ଶ୍ରେଣୀ ଛାତ୍ରକୁ ଗିରଫ କରାଯାଇଥିଲା। ବୁଧବାର ମୃତ ପ୍ରଦ୍ୟୁମ୍ନର ପିତା ବରୁଣ ଠାକୁର କହିଛନ୍ତି ଯେ, ତାଙ୍କ ଉପରେ ହରିୟାଣା ସରକାରର ମନ୍ତ୍ରୀ ରାଓ ନରବୀର ସିଂହ ସିବିଆଇ ଯାଞ୍ଚ ରୋକିବା ପାଇଁ ଚାପ ପକାଇଥିଲେ।

ବରୁଣ କହନ୍ତି, ମନ୍ତ୍ରୀ ଆମ ଘରକୁ ଆସିଥିଲେ ଏବଂ ମୋତେ ସିବିଆଇ ଯାଞ୍ଚରୁ ଦୁରେଇ ରହିବାକୁ କହିଥିଲେ। ସେ କହିଥିଲେ ସିବିଆଇ ନାମକୁ ମାତ୍ର, ତାଙ୍କ ପାଖରେ କାମଚାପ ଅଧିକ ଥାଏ, ମାମଲାର ଯାଞ୍ଚ କରିବା ପାଇଁ ଅଧିକ ସମୟ ନେଇ ଥାଆନ୍ତି। ଠିକ୍‌ ସମୟରେ ସିବିଆଇ କୌଣସି ମାମଲାର ରିପୋର୍ଟ ଦେଇ ପାରନ୍ତି ନାହିଁ। ତେଣୁ ମାମଲାର ଯାଞ୍ଚ କରିବାକୁ ହରିୟାଣା ପୁଲିସକୁ କିଛି ସମୟ ଦିଆଯାଉ ବୋଲି ମନ୍ତ୍ରୀ ରାଓ ନରବୀର ସିଂହ କହିଥିଲେ।

ଅନ୍ୟପକ୍ଷରେ ବରୁଣ କହନ୍ତି, ଯଦି ମୁଁ ମନ୍ତ୍ରୀଙ୍କ ଏହି କଥା ମାନି ନେଇ ଥାଆନ୍ତି, ତେବେ ଆଜି ମୋ ପୁଅର ଅସଲି ଅଭିଯୁକ୍ତ ଧରାପଡ଼ି ନଥାଆନ୍ତା। ଏହି ମାମଲାର ଯାଞ୍ଚ କରିବା ପରେ ହରିୟାଣା ପୁଲିସ ପ୍ରଥମେ ବସ୍‌ କଣ୍ଡେକ୍ଟର ଅଶୋକ କୁମାରଙ୍କୁ ଅଭିଯୁକ୍ତ କହି ଗିରଫ କରିଥିଲା କିନ୍ତୁ ସିବିଆଇ ହରିୟାଣା ପୁଲିସର ଏହି ରିପୋର୍ଟକୁ ଭୁଲ ପ୍ରମାଣିତ କରି ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଏକାଦଶ ଶ୍ରେଣୀର ଛାତ୍ରକୁ ଗିରଫ କରିଛି। ପରୀକ୍ଷା ରୋକିବା ପାଇଁ ଏପରି କରିଥିବା ଗିରଫ ଅଭିଯୁକ୍ତି ସ୍ୱୀକାର ମଧ୍ୟ କରିଛି।

ତେବେ ପ୍ରଦ୍ୟୁମ୍ନ ପିତାଙ୍କ ଏହି ଅଭିଯୋଗ ପରେ ମନ୍ତ୍ରୀ ନରବୀର ସିଂହ ସଫେଇ ଦେଇ କହିଛନ୍ତି, ମୁଁ କେବଳ ପ୍ରଦ୍ୟୁମ୍ନ ପିତାଙ୍କୁ ଏତିକି କହିଛି କି, କୌଣସି ବି ସରକାର ପ୍ରଥମଦିନରୁ ମାମଲାର ଯାଞ୍ଚ ସିବିଆଇକୁ ଦିଅନ୍ତି ନାହିଁ। ଏହି ମାମଲାରେ ପୁଲିସକୁ ଏକ ସପ୍ତାହ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ ଦିଆଯାଉ। ଏହାପରେ ଆପଣ ଯଦି ଯାଞ୍ଚରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ଆପଣ ଏହି ମାମଲାର ଯାଞ୍ଚ ସିବିଆଇକୁ ଦେଇପାରିବେ।

ଅନ୍ୟପକ୍ଷରେ, ଗତ ଶନିବାର ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲା ଗିରଫ ହୋଇଥିବା ଏକାଦଶ ଶ୍ରେଣୀର ଛାତ୍ର ପିତା ତାଙ୍କ ପୁଅକୁ ଓଲଟା ଝୁଲାଇ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ମଙ୍ଗଳବାର ଗିରଫ ଅଭିଯୁକ୍ତ ଛାତ୍ର ସିବିଆଇ ଉପରେ ଅଭିଯୋଗେ ଆଣି କହିଛି ଯେ, ସିବିଆଇ ମୋର ଭାଇକୁ ମାରିବା ପାଇଁ ଧମକ ଦେଉଛି। ଏହି ଧମକ ଦେଇ ପ୍ରଦ୍ୟୁମ୍ନକୁ ହତ୍ୟା କରିଥିବାର ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରୁଛନ୍ତି। ମୁଁ ମୋର ଭାଇକୁ ବହୁତ ଭଲ ପାଏ, ତା’ ବିଷୟରେ ଏପରି କିଏ କହିଲେ ମୁଁ ସମ୍ଭାଳି ପାରିବି ନାହିଁ। ଏଥିସହିତ ମୋତେ ବହୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ରିନୁ ସାଇନାଙ୍କୁ ଅଭିଯୁକ୍ତ ଛାତ୍ର ଏକଥା କହିଛନ୍ତି।

ସମ୍ବନ୍ଧିତ ଖବର